ଟ୍ରଲିରେ ବସି କରୋନା ରୋଗୀଙ୍କ ଚିକିତ୍ସା କରିବାକୁ ହସ୍ପିଟାଲ ଗଲେ ଡାକ୍ତର: ଫଟୋ ଭାଇରାଲ

ପାଟନା,୧୬।୭: କରୋନା ସଂକ୍ରମଣ ସମସ୍ତଙ୍କ ମୁଣ୍ଡ ବିଗାଡି ଥିବା ବେଳେ ଏବେ ଏହି ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ଡାକ୍ତର ମଧ୍ୟ ବେଳେ ବେଳେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଥିବା ଦେଖାଯାଇଛି। ନିକଟରେ ଆସିଥିବା ଏକ ଫଟୋରୁ ଏହା ସ୍ପଷ୍ଟ ବାରି ହୋଇପଡିଛି। ଉକ୍ତ ଫଟୋରେ ଦେଖିବାକୁ ମିଳିଥିଲା ଜଣେ ଡାକ୍ତର ଏକ ଟ୍ରଲିରେ ବସି କୋଭିଡ କେୟାର ସେଣ୍ଟରକୁ ଯାତ୍ରା କରୁଛନ୍ତି। ଏହା ବିହାରର ସୁପୌଲର ବୋଲି ଜଣାପଡିଛି। ସେଠାରେ ଥିବା କୋଭିଡ-୧୯ ସେଣ୍ଟରରେ ପାଣି ପଶି ଯିବାରୁ ଡାକ୍ତର ଅମରେନ୍ଦ୍ର କୁମାର ଏକ ଟ୍ରଲିରେ ବସି ସେଠାକୁ ଯିବାକୁ ବାଧ୍ୟ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଏବେ ବିହାରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ କରିଥିବା ବେଳେ ରୋଗୀଙ୍କୁ ସଠିକ୍‌ ଚିକିତ୍ସା ମିଳି ପାରୁନାହିଁ ବୋଲି ଅଭିଯୋଗ ହେଉଛି। ବିହାରର ରାଜ୍ୟପାଳଙ୍କ ନିବାସଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନିବାସ ପର୍ଯ୍ୟନ୍ତ ସବୁଠି କରୋନା ପହଞ୍ଚି ସାରିଥିବା ବେଳେ ସ୍ବାସ୍ଥ୍ୟସେବା ନ ମିଳିବା ଦୁଃଖର ବିଷୟ ବୋଲି କୁହାଯାଉଛି। ନିକଟରେ ଗୃହ ବିଭାଗର ଜଣେ ସଚିବଙ୍କୁ ୨୪ଘଣ୍ଟା ପର୍ଯ୍ୟନ୍ତ ଚିକିତ୍ସା ନ ମିଳିବାରୁ କରୋନା ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।

Share