ପ୍ରେମିକାଙ୍କ ସହ କୁକୁରକୁ ହତ୍ୟା କଲେ ଡାକ୍ତର, କ୍ଲିନିକ୍‌ ପରିସରରେ ଗାତ କରି ପୋତିଦେଲେ

ଭୋପାଳ,୨୧।୨: ମଧ୍ୟପ୍ରଦେଶରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଜଣେ ଡାକ୍ତର ଅବୈଧ ସମ୍ପର୍କକୁ ଲୁଚାଇବା ପାଇଁ ପ୍ରେମିକାଙ୍କୁ ହତ୍ୟା କରି ପୋତି ପକାଇଥିଲେ। ତେବେ ପୋଲିସ ଖୋଳତାଡ଼ କରି ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିଛି।

ପୋଲିସ ସୂଚନାନୁଯାୟୀ, ଡାକ୍ତରଙ୍କ ନିକଟରେ ଯୁବତୀ ଜଣକ ଆସିଷ୍ଟାଣ୍ଟ ସର୍ଜନ ଭାବରେ କାମ କରୁଥିଲେ। ଡାକ୍ତର ପ୍ରଥମେ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ପରେ ଯୁବତୀ ଜଣଙ୍କ ତାଙ୍କୁ ବିବାହ କରିବାକୁ ଜିଦ୍‌ କରିବାରୁ ସେ ସବୁଦିନ ପାଇଁ ତାଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ। ଯୋଜନା ମୁତାବକ ଡାକ୍ତର ଯୁବତୀଙ୍କୁ ହତ୍ୟା କରି ତାଙ୍କ କ୍ଲିନିକ ପରିସରରେ ହିଁ ପୋତି ପକାଇଥିଲେ। ଅପରାଧ ଲୁଚାଇବା ପାଇଁ ସେ ତାଙ୍କ କୁକୁରକୁ ମଧ୍ୟ ମାରି ସେହି ଗାତରେ ପୋତି ଦେଇଥିଲେ।

ସୂଚନାଯୋଗ୍ୟ, ମୃତ ଯୁବତୀଙ୍କ ମା ଫେବୃୟାରୀ ୧ରେ ତାଙ୍କ ୨୩ ବର୍ଷୀୟା ଝିଅ ଭାନୁ କେବଟ କେଉଁଆଡ଼େ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଡାକ୍ତର ଅଭିଯୁକ୍ତ ବୋଲି ପ୍ରମାଣ ପାଇଥିଲା। ଜେରା ସମୟରେ ଅଭିଯୁକ୍ତ ଡାକ୍ତର ଆଶୁତୋଷ ତ୍ରିପାଠୀ ସମସ୍ତ ଘଟଣା ସମ୍ପର୍କରେ ପୋଲିସକୁ କହିଥିଲେ। ପୋଲିସ ତାଙ୍କୁ ଗିରଫ କରିଛି।

Share