ଆଦିବାସୀଙ୍କ ସେବାରେ ନିୟୋଜିତ ଡାକ୍ତର ଏବେ ଜେଲରେ

ଭବାନୀପାଟଣା,୨୫ା୧୦(ଉତ୍ତମ କୁମାର ଦାଶ):ଆଦିବାସୀଙ୍କ ଚିକିତ୍ସା ସେବା ପାଇଁ ମୁମ୍ୱାଇ ଛାଡ଼ି କଳାହାଣ୍ଡିକୁ ଚାଲି ଆସିଥିଲେ ଡାକ୍ତର ରାଣ୍ଡାଲ ସେକ୍ୟୁରା। ଦୁର୍ଗମ ଅଞ୍ଚଳରେ ପହଞ୍ଚତ୍ ମ୍ୟାଲେରିଆ ଓ ଯକ୍ଷ୍ମା ଭଳି ରୋଗରେ ପୀଡ଼ିତ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଥିଲେ। ହେଲେ ଏବେ ସେହି ଡାକ୍ତର ଜେଲରେ। ବକ୍ସାଇଟ ଖଣି ପ୍ରକଳ୍ପ ବିରୋଧୀ ଆନ୍ଦୋଳନ ସହ ସମ୍ପୃକ୍ତି ଏବଂ ହିଂସାକାଣ୍ଡରେ ଭୂମିକା ଥିବା ଅଭିଯୋଗରେ ତାଙ୍କୁ ରାୟଗଡ଼ା ପୋଲିସ ଗିରଫ କରିଛି। ଏହି ଖବର ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ମଧ୍ୟ ଶିରୋନାମା ପାଲଟିଛି। ଗତ ୧୬ ତାରିଖ ରାତି ପ୍ରାୟ ୧୧ଟାରେ କଳାହାଣ୍ଡି ଜିଲା ଭବାନୀପାଟଣା ହିଲଟାଉନ୍‌ସ୍ଥିତ ଏକ ଭଡ଼ାଘରୁ ଡାକ୍ତର ସେକ୍ୟୁରା ଏବଂ ଜନଜାତି ଅଧିକାର କର୍ମୀ ଲକ୍ଷ୍ମଣ ନାୟକଙ୍କୁ ପୋଲିସ ଉଠାଇ ନେଇଥିଲା। ପରେ ଉଭୟଙ୍କୁ ରାୟଗଡ଼ା ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ରାୟଗଡ଼ା ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଉଭୟଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଦଙ୍ଗା ସୃଷ୍ଟି, ଆର୍ମସ ଆକ୍ଟ (ଅସ୍ତ୍ରଶସ୍ତ୍ର ଆଇନ) ଭଳି ସଙ୍ଗିନ ଦଫା ଲଗାଯାଇଛି। କର୍ନାଟକର ମାଙ୍ଗାଲୁରୁରେ ଜନ୍ମିତ ଡାକ୍ତର ସେକ୍ୟୁରା ମୁମ୍ୱାଇରେ ବଢ଼ିଥିଲେ। ସେ ବେଙ୍ଗାଲୁରୁର ସେଣ୍ଟ ଜନ୍ସ ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ଏବଂ ରାଜସ୍ଥାନର ସ୍ୱାଇ ମାନସିଂହ ମେଡିକାଲ କଲେଜରୁ ଇଣ୍ଟରନାଲ ମେଡିସିନରେ ଡିଗ୍ରୀ ହାସଲ କରିଥିଲେ। ୨୦୧୭ରେ ସେ କଳାହାଣ୍ଡି ଆସି ଆଦିବାସୀ ଅଞ୍ଚଳରେ କାମ କରୁଥିବା ଏକ ସ୍ୱେଚ୍ଛାସେବୀ ସଂଗଠନ ସହ ଯୋଡ଼ି ହୋଇଥିଲେ। ପରବର୍ତ୍ତୀ ସମୟରେ ଦୁର୍ଗମ ଗଁାଗୁଡ଼ିକୁ ଯାଇ ସ୍ୱାଧୀନ ଭାବେ ଲୋକଙ୍କ ଚିକିତ୍ସା କରୁଥିଲେ। କେବଳ ରୋଗ ଚିକିତ୍ସା ନୁହେଁ, ରୋଗ ପଛରେ ଥିବା ସାମାଜିକ, ଆର୍ଥିକ ଓ ପରିବେଶଗତ କାରଣକୁ ବୁଝିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଉଥିଲେ। ଚିକିତ୍ସା ସେବା ଯୋଗାଇବା ସହ ଆଦିବାସୀଙ୍କ ଜୀବନଜୀବିକା ସହ ଜଡ଼ିତ ସମସ୍ୟାଗୁଡ଼ିକୁ ନିକଟରୁ ଦେଖୁଥିଲେ ବୋଲି ତାଙ୍କ କାର୍ଯ୍ୟକ୍ଷେତ୍ରର ଲୋକେ କହିଛନ୍ତି। ଅନ୍ୟପଟେ ଡାକ୍ତର ସେକ୍ୟୁରାଙ୍କ ଗିରଫଦାରିକୁ ନେଇ ଅନେକ ସାମାଜିକ କର୍ମୀ ଓ ତାଙ୍କ ସମର୍ଥକ ପ୍ରଶ୍ନ ଉଠାଇଛନ୍ତି।

Share