ବରଗଡ଼,୨୦ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ବିଳମ୍ବିତ ରାତିରେ କର୍ତ୍ତବ୍ୟରତ ବା. ସୁଦୀପ୍ତ କୁମାର ରାଉତଙ୍କୁ ଆକ୍ରମଣ ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ପୋଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ସୂଚନା ମିଳିଛି। ଅନ୍ୟପଟେ ଆହତ ଡା. ରାଉତ ଆକ୍ରମଣ ଘଟଣାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, ରବିବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ଅଭିଯୁକ୍ତ ଜଣକ ଜଣେ ରୋଗୀଙ୍କ ଛାତି ଯନ୍ତ୍ରଣା ହେଉଥିବାରୁ ଚିକିତ୍ସା ପାଇଁ ତାଙ୍କ ପାଖକୁ ଆଣିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ଓ ଇଞ୍ଜେକସନ ସେ ପ୍ରେସକ୍ରାଇବଡ୍ କରିଥିଲେ। ତେବେ ଇଞ୍ଜେକସନ ନେବା ପାଇଁ ରୋଗୀଙ୍କୁ ସୁରକ୍ଷା କର୍ମୀଙ୍କ ସହିତ ଓ୍ବାର୍ଡକୁ ପଠାଇ ଥିବାବେଳେ ଅଭିଯୁକ୍ତ ଜଣକ ତାଙ୍କ ରକ୍ତଚାପ ଚେକ୍ କରିବାକୁ କହିଥିଲେ। ତେବେ ସେ ଅସ୍ଥିର ଏବଂ ତରବରିଆ ଥିବାରୁ ମୁଁ ତାଙ୍କୁ ୫/୧୦ ମିନିଟ୍ ବସିବାକୁ ପରାମର୍ଶ ଦେଇଥିଲି। ଏହା ପରେ ଅଭିଯୁକ୍ତ ହଠାତ୍ କାଠର ଷ୍ଟୁଲ ଦ୍ୱାରା ତାଙ୍କ ମୁଣ୍ଡ ଉପରେ ୨୩ ଥର ଆକ୍ରମଣ କରିଥିଲେ ଏବଂ ସେଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଡା. ରାଉତ କହିଛନ୍ତି। କିଛିଦିନ ଆଗରୁ ବିଭିନ୍ନ ଦାବି ନେଇ ଚିକିତ୍ସକ ଆସୋସିଏଶନ ଧର୍ମଘଟକୁ ଓହ୍ଲାଇଥିଲେ। ଏହାସତ୍ତ୍ୱେ ଡାକ୍ତରଖାନାରେ କର୍ତ୍ତବ୍ୟରତ ଥିବାବେଳେ ତାଙ୍କ ପ୍ରତି ହୋଇଥିବା ଏଭଳି ଆକ୍ରମଣ ଦୁର୍ଭାଗ୍ୟଜନକ। ଅଭିଯୁକ୍ତଙ୍କୁ ପ୍ରକୃତ ଦଣ୍ଡ ମିଳୁ ବୋଲି ଆହତ ଡା. ରାଉତ ନିଜ ପ୍ରତିକ୍ରିୟାରେ କହିଛନ୍ତି।