ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରି ଉତ୍ତମ ସ୍ୱାସ୍ଥ୍ୟ ଓ ମାଗଣା ରୋଗୀସେବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରିଛନ୍ତି। ମାତ୍ର ସେସବୁ ଯୋଜନା ସଠିକ୍ ରୂପେ କାର୍ଯ୍ୟକାରୀ ହେଉ ନ ଥିବା ଅନେକ ଉଦାହରଣ ପରିଲକ୍ଷିତ ହେଉଛି। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁୁବୁଡି ପଞ୍ଚାୟତ ଝରିପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ଡାକ୍ତର ଓ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁ ରୋଗୀସେବା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ହୋଇଛି। ଅବସ୍ଥାପିତ ଡାକ୍ତର ଓ କର୍ମଚାରୀମାନେ ନିୟମିତ ଅନୁପସ୍ଥିତ ରହୁଥିବା କାରଣରୁ ଅଞ୍ଚଳବାସୀ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ରହୁଛନ୍ତି। ଝରିପଦର ଗ୍ରାମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବି. ତୁରୁୁବୁଡ଼ି,ଝରିପଦର,କାଣ୍ଡସର, ଦଶିପୁର,ବିରିବାଡ଼ିଆ,ପିଲିକାଡିହ ପ୍ରଭୃତି ଆଖପାଖ ୧୨ ଖଣ୍ଡ ଗ୍ରାମର ବାସିନ୍ଦା ନିର୍ଭର କରିଥାନ୍ତି। ବିଶେଷତଃ ଏସବୁ ଗ୍ରାମାଞ୍ଚଳର ଗରିବ, ଅସହାୟ ମହିଳା,ଶିଶୁ,ବୃଦ୍ଧା, ବୃଦ୍ଧ ନିକଟସ୍ଥ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଯାଇନପାରି ଏହି ଡାକ୍ତରଖାନାରେ ଚିକିତ୍ସା ପାଇଁ ଆସିଥାନ୍ତି। ହେଲେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାୟତଃ ତାଲା ଝୁଲୁଛି। ଛୋଟ ବଡ଼ ଦୁର୍ଘଟଣା ରେ ଆହାତ କିମ୍ବା ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ୧୫ କି. ମି ଦୂରରେ ଥିବା ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନ ଚେତ ୩୫ କିମି ବ୍ରହ୍ମପୁର ବଡ଼ ଡାକ୍ତରଖାନା ନେବା ବେଳେ ରାସ୍ତାରେ ଅନେକଙ୍କ ମୃତ୍ୟୁ ହୋଇଯାଇଥାଏ। ଏପରିକି ସାମାନ୍ୟ ଜ୍ୱର, ଥଣ୍ଡା କାଶ ପାଇଁ ଗରିବ ଲୋକେ ଅଟୋ ଭଡ଼ା କରି ଦିଗପହଣ୍ଡି ଦୌଡିବାକୁ ପଡୁଛି। ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତରଙ୍କ ସମେତ ଫାର୍ମାସିଷ୍ଟ ସମେତ ଠିକାରେ ଜଣେ ଆଟେଣ୍ଡାଣ୍ଟ ଓ ସିକ୍ୟୁରିଟି ଗାର୍ଡ ଅବସ୍ଥାପିତ ଅଛନ୍ତି। ଷ୍ଟାଫନର୍ସ ଓ ଏଏନ୍ଏମ ପଦବୀ ଖାଲି ପଡ଼ିଛି। କିନ୍ତୁ ପ୍ରତିଦିନ ପୂର୍ବାହ୍ନ ୧୦ଟାରେ ଏଠି ସ୍ୱାସ୍ଥ୍ୟକେନ୍ଦ୍ରର ତାଲା ଖୋଲେ ଆଉ ମଧ୍ୟାହ୍ନ ୧୨ଟା ବାଜିଲେ ଫାଟକରେ ତାଲା ପକାଇ ସମସ୍ତେ ଛୁଟିରେ ପଳାନ୍ତି। ରବିବାର କିମ୍ବା ପର୍ବପର୍ବାଣୀ ଦିନ ତ କଥା ସରିଲା। ସ୍ୱାସ୍ଥ୍ୟକେନ୍ଦ୍ର ଫାଟକର ତାଲା ଆଦୌ ଖୋଲାନଯାଇ ଭଗବାନଙ୍କ ଭରସାରେ ଛାଡ଼ି ଦିଆଯାଏ ସ୍ୱାସ୍ଥ୍ୟ ସେବାକୁ।
ସ୍ୱାସ୍ଥ୍ୟ ସେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବୁଠାରୁ ବଡ଼ ପ୍ରାଥମିକତା ଦେଉଥିବା ବେଳେ ଝରିପଦର ଗ୍ରାମ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଏହି ଚିତ୍ର ସ୍ବାସ୍ଥ୍ୟ ବ୍ୟବସ୍ଥାର ଅସଲ ଚେହେରାକୁ ପଦାରେ ପକାଉଛି। ମାସିକ ମୋଟା ଅଙ୍କର ଦରମା ପାଉଥିବା ଡାକ୍ତର ଓ ଫାର୍ମାସିଷ୍ଟଙ୍କ ଏଭଳି ଦାୟିତ୍ୱହୀନତା ଯୋଗୁଏଠାକାର ଗରିବ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଡା. ସ୍ଵପ୍ନା ପ୍ରିୟଦର୍ଶିନୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କୁ ମଙ୍ଗଳବାର ଓ ଗୁରୁବାର ତଲାସିଙ୍ଗି ଗ୍ରାମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ଯାଇ ସେଠାରେ ରୋଗୀ ସେବା କରିବାକୁ ପଡୁଛି। ଅନ୍ୟ ଦିନ ମାନଙ୍କରେ ସେ ସକାଳ ପ୍ରାୟ ୮ ଟାରେ ଝରିପଦର ଗ୍ରାମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସେ ନିୟମିତ ଭାବେ ଡ୍ୟୁଟି କରୁଛନ୍ତି।
ଫାର୍ମାସିଷ୍ଟ ଶ୍ରୀକାନ୍ତ ବେହେରାଙ୍କୁ ପଚାରିବାରୁ ସେ ନିୟମିତ ଭାବେ ଡାକ୍ତରଖାନାରେ ଉପସ୍ଥିତ ରହୁଥିବା କହିଛନ୍ତି। ସରପଞ୍ଚ ବି.ଲିଙ୍ଗରାଜ ଦୋରାଙ୍କୁ ପଚାରିବାରୁ ଡାକ୍ତରଖାନାର ନୂତନ କୋଠା ନିର୍ମାଣ ସରିଥିଲେ ମଧ୍ୟ କୋଠା ହସ୍ତାନ୍ତର କରାଯାଇନାହିଁ। ସେ ଏନେଇ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ନବନିର୍ମିତ କୋଠା ହସ୍ତାନ୍ତର କରାଯାଉନାହିଁ। ଫଳରେ ପୁରୁଣା କୋଠାରେ ଡାକ୍ତରଖାନା ଚାଲିଛି। ସେହିଭଳି ଅନ୍ୟ ଏକ ନୂତନ କୋଠା ନିର୍ମାଣ କାର୍ଯ୍ୟ ଚାଲୁରହିଛି ବୋଲି କହିଛନ୍ତି।