କିଡ୍ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ ସେ ସମ୍ପର୍କରେ କିଛି ଜଣାପଡ଼େନି। ପୁଣି ଅନେକ କ୍ଷେତ୍ରରେ ଗୋଟିଏ କିଡ୍ନୀ କାର୍ଯ୍ୟରହିତ ହୋଇ ପଡ଼ିଥିଲେ ମଧ୍ୟ ଅନ୍ୟ କିଡ୍ନୀଟି ସନ୍ତୋଷଜନକ ଭାବରେ କାର୍ଯ୍ୟ କରି ଚାଲିଥିବାରୁ କିଡ୍ନୀ ଅସୁସ୍ଥତା ବିଷୟରେ କୌଣସି ସୂଚନା ନ ମିଳିବା କିଛି ଅସ୍ବାଭାବିକ ନୁହେଁ। ଦୁଇଟିଯାକ କିଡ୍ନୀ ସୁସ୍ଥ ଭାବରେ କାମ କରି ଚାଲିଥିବାବେଳେ ବିଭିନ୍ନ କାରଣବଶତଃ ଏହା ହଠାତ୍ ଅକାମୀ ହୋଇପଡ଼େ। ଏପରି ଅବସ୍ଥାକୁ କୁହାଯାଏ ‘ଆକ୍ୟୁଟ ରେନାଲ ଫେଲ୍ୟୁଓର୍’ ବା ଏ.ଆର୍.ଏଫ୍। କିଡ୍ନୀ ମଧ୍ୟ ଦେଇ ଯଥେଷ୍ଟ ରକ୍ତ ପ୍ରଭାବିତ ହୋଇ ନ ପାରିବା ଯୋଗୁ ଏହାର ଅକ୍ଷମତା ଉପୁଜେ। ତରଳ ଝାଡ଼ାବାନ୍ତି ଯୋଗୁ ଡିହାଇଡ଼୍ରେସନ୍ ହେବା, ଶରୀରରୁ ଅଧିକ ରକ୍ତକ୍ଷୟ ଘଟିବା, ଚର୍ମର ବେଶି ଅଂଶ ପୋଡ଼ିଯିବା, ସଂକ୍ରମଣ ବଢ଼ି ସେପ୍ଟିସିମିଆ ହେବା, ବିଷ ଖାଇବା ଇତ୍ୟାଦି କାରଣରୁ ଆକ୍ୟୁଟ୍ କିଡ୍ନୀ ଅକ୍ଷମତା ପ୍ରକାଶ ପାଇଥାଏ। ପରିସ୍ରାର ପରିମାଣ କମିଯିବା, ଆଉ ଉଠିବା, ବାନ୍ତି ହେବା, ଭୋକ ମରିଯିବା, ଦୁର୍ବଳତା ଅନୁଭବ କରିବା, ନିଦୁଳିଆ ଲାଗିବା, ଶ୍ୱାସକଷ୍ଟ ହେବା, ପାଦ ଫୁଲିବା ଆଦି ଏହାର କେତୋଟି ସାଧାରଣ ଲକ୍ଷଣ। ଅନ୍ୟପକ୍ଷରେ ରକ୍ତଚାପ ବଢ଼ି ଦୀର୍ଘଦିନ ଧରି ଅନିୟନ୍ତ୍ରିତ ଅବସ୍ଥାରେ ରହିଲେ, ଡାଇବେଟିସ୍ ନିୟନ୍ତ୍ରଣରେ ନ ଥିଲେ, କିଡ୍ନୀ ବାରମ୍ବାର ସଂକ୍ରମିତ ହେଲେ କିମ୍ବା ଯନ୍ତ୍ରଣା କମେଇବା ପାଇ ଅଧିକାଂଶ ସମୟରେ ପେନ୍କିଲର୍ ଓଷଧ ଖାଇଲେ ଏହାର ଆଶଙ୍କା ଅଧିକ ଥାଏ। ଏପରି ଅବସ୍ଥାକୁ କୁହାଯାଏ ଦୀର୍ଘକାଳୀନ କିଡ୍ନୀ ଅକ୍ଷମତା ବା ‘କ୍ରନିକ୍ ରେନାଲ୍ ଫେଲ୍ୟୁଓର୍’ (ସି.ଆର୍.ଏଫ୍.)।