ଏସବୁ ଲକ୍ଷଣ ଦେଖା ଦେଉଛି କି? ହୋଇପାରେ ହୃଦ୍‌ଘାତ

ବିଶ୍ୱବ୍ୟାପୀ ମୃତ୍ୟୁର ମୁଖ୍ୟ କାରଣ ହେଉଛି ହାର୍ଟ ଆଟାକ୍‌ ବା ହୃଦ୍‌ଘାତ। ଏହାର ଅନେକ କାରଣ ରହିଛି। ଆମେ ଅଧିକ କାମ କରୁ ମାତ୍ର ବହୁତ କମ୍‌ ଶୋଇଥାଉ। ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇଥାଉ ଯଥେଷ୍ଟ ବ୍ୟାୟାମ କରି ନ ଥାଉ। ବେଳେବେଳେ ଆମ ଶରୀରରେ ଅନେକ ଲକ୍ଷଣ ଦେଖାଦେଇଥାଏ। ମାତ୍ର ଆମେ ସେସବକୁ ଅବହେଳା କରିଥାଉ। ଏହାଦ୍ୱାରା ହୃଦ୍‌ଘାତର ଶିକାର ହୋଇଥାଉ। ତେବେ ଜାଣନ୍ତୁ ଏସବୁ ଲକ୍ଷଣ ସମ୍ପର୍କରେ…

ଥକ୍କାପଣ:
ଥକ୍କାପଣ ହୃଦ୍‌ଘାତର ପ୍ରଥମ ଲକ୍ଷଣ ହୋଇପାରେ। ପର୍ଯ୍ୟାପ୍ତ ନିଦ ନ ହେବାରୁ ହୃଦ୍‌ଘାତର ସମ୍ଭାବନା ରହିଥାଏ। ଶରୀରରେ ରକ୍ତର ପରିମାଣ କମିଯାଏ, ତେଣୁ ହାର୍ଟକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। ଦିନରାତି କ୍ଳାନ୍ତ ଲାଗେ। ଯଦି ଆପଣ କ୍ଳାନ୍ତ ହୁଅନ୍ତି ବା ଥକ୍କାପଣ ଅନୁଭବ କରନ୍ତି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ୍‌। ଏହା ହୃଦ୍‌ଘାତର ଏକ ଗୁରୁତର ଲକ୍ଷଣ।

ଚେତାଶୂନ୍ୟ ହେବା:
ବାରମ୍ବାର ଚେତାଶୂନ୍ୟ ହେବା ହୃଦ୍‌ଘାତର ଆଉ ଏକ ଲକ୍ଷଣ। ଯଦି ଆପଣ ବାରମ୍ବାର ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ବିଳମ୍ବ ନ କରି ଡାକ୍ତରଙ୍କୁ ଦେଖାଇବା ଉଚିତ୍‌। ଅତ୍ୟଧିକ ଶାରୀରିକ ପରିଶ୍ରମ, ଯନ୍ତ୍ରଣା କିମ୍ବା ଡିହାଇଡ୍ରେସନ ଚେତାଶୂନ୍ୟ ହେବାର କାରଣ ବି ହୋଇପାରେ। ଏହାକୁ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଜରୁରୀ।

ହଠାତ୍‌ ଓଜନ ବଢ଼ିବା:

ଅଧିକ ଓଜନ ବଢ଼ିଗଲେ ଏହା ହୃଦ୍‌ଘାତର ଆଉ ଏକ ଲକ୍ଷଣ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି। ଅତ୍ୟଧିକ ଖାଇବା ଦ୍ୱାରା ଓଜନ ବୃଦ୍ଧି ଘଟିଥାଏ। ଫଳରେ ଏହା ହୃଦ୍‌ଘାତକୁ ଆମନ୍ତ୍ରଣ କରିଥାଏ। ଯଦି ଆପଣ ଏହି ଲକ୍ଷଣ ଅନୁଭବ କରନ୍ତି ତେବେ ପ୍ରତିଦିନ କ’ଣ ଖାଉଛନ୍ତି ତାହା ଉପରେ ନଜର ରଖିବା ଏକ ଭଲ ଚିନ୍ତାଧାରା। ଖାଦ୍ୟର ପରିବର୍ତ୍ତନ ହେତୁ ଓଜନ ବୃଦ୍ଧି ହେଉଛି କି ନାହିଁ ତାହା ଜାଣିବା ଉଚିତ୍‌। ଏହା ପରେ ଯଦି ଓଜନ ନ କମେ ତେବେ ଏହା ହୃଦ୍‌ଘାତର ଲକ୍ଷଣ ଅଟେ। ଏସବୁ ଲକ୍ଷଣ ଦେଖାଦେଲେ ଅଣହେଳା ନ କରି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।