ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ ପ୍ରଥମେ କିଛି ସମୟ ବିଶ୍ରାମ ନିଅନ୍ତୁ। ନିଜକୁ ସମ୍ପୂର୍ଣ୍ଣ ସୁସ୍ଥ ନ ଲାଗିଲେ ବ୍ୟାୟାମ କରନ୍ତୁ ନାହିଁ। ନ ହେଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ଯଦି ବ୍ୟାୟାମ କରିବାକୁ ମନସ୍ଥ କରିଛନ୍ତି ତେବେ ଏହାପୂର୍ବରୁ ବ୍ୟାୟାମ ଏକ୍ସପର୍ଟଙ୍କ ସହ ବିଶଦଭାବରେ ଆଲୋଚନା କରନ୍ତୁ। ତା’ସହ ଡାକ୍ତରଙ୍କ ନିକଟରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ମଧ୍ୟ ଭୁଲନ୍ତୁ ନାହିଁ। କେଉଁ ପ୍ରକାର ବ୍ୟାୟାମ କଲେ ତାହାର ସୁପ୍ରଭାବ ଶରୀର ଉପରେ ପଡିବ ତାହା ପ୍ରଥମେ ଭଲ ଭାବରେ ଜାଣି ନିଅନ୍ତୁ। ସକାଳ କିମ୍ବା ସନ୍ଧ୍ୟାର କେଉଁ ସମୟରେ ବ୍ୟାୟାମ କରିବେ ତାହାର ସମୟ ନିର୍ଦ୍ଧାରଣ କରନ୍ତୁ। ଆଉ ସେହି ଅନୁସାରେ ପ୍ରତିଦିନ ସେହି ସମୟରେ ହିଁ ବ୍ୟାୟାମ ଆରମ୍ଭ କରିବା ଭଲ। ସବୁବେଳେ ନିଜ ସାମର୍ଥ୍ୟ ଅନୁସାରେ ବ୍ୟାୟାମ କରନ୍ତୁ। ସବୁଠାରୁ ଖାସ୍ କଥା ହେଲା, ବ୍ୟାୟାମ କରିବା ପୂର୍ବରୁ ନିଜର ନିତ୍ୟକର୍ମ ଶେଷ କରିବାକୁ ଭୁଲନ୍ତୁ ନାହିଁ ବ୍ୟାୟାମ ସମୟରେ ଶୋଷ ଲାଗିଲେ ଅଳ୍ପ ପାଣି ପିଅନ୍ତୁ। ସବୁବେଳେ ଏକ ସୁସ୍ଥ ପରିବେଶରେ ହିଁ ବ୍ୟାୟାମ କରନ୍ତୁ। ବିଶେଷଭାବରେ ଏଥିଲାଗି ନିକଟସ୍ଥ ପାର୍କ ଚୟନ କରିପାରନ୍ତି।