କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଚାହୁଁଥିଲେ କରନ୍ତୁ ଏପରି…

କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବାକୁ କାହାର ବା ଇଚ୍ଛା ନୁହେଁ। ହେଲେ ବେଳେବେଳେ କୌଣସି କାରଣ ବଶତଃ ସବୁ ଠିକ୍‌ ଥାଇ ବି ସୂଯୋଗ ହାତରୁ ଖସିଯାଏ। ଏଭଳି ସମସ୍ୟାରୁ କିପରି ମୁକ୍ତି ପାଇହେବ ଆସନ୍ତୁ ଜାଣିବା ସେ ନେଇ କେତୋଟି ବାସ୍ତୁ ଟିପ୍ସ…

* ଯେଉଁମାନେ ନୂଆ ନୂଆ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଇଛନ୍ତି କିମ୍ବା ବ୍ୟବସାୟ କରି ବାରମ୍ବାର କ୍ଷତି ସହି ଚାଲିଛନ୍ତି, ସେମାନେ ଚାହିଁଲେ ଅଫିସ୍‌ରେ ତାଙ୍କ ସିଟ୍‌ ପଛପଟ କାନ୍ଥରେ ପାହାଡ଼ର କୌଣସି ଫଟୋ ଲଗାଇପାରିବେ। ଉଚ୍ଚ ପାହାଡ଼ର ଫଟୋ ଲଗାଇବା ଦ୍ୱାରା କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

* ବାସ୍ତୁଶାସ୍ତ୍ରରେ ବାମ୍ବୋ ପ୍ଲାଣ୍ଟକୁ ଶୁଭ ବୋଲି ଧରାଯାଇଥାଏ। କୁହାଯାଏ, ଏହାଦ୍ୱାରା ଧନ ଲାଭ ହେବା ସହ ଅଫିସ୍‌ରେ ସକାରାତ୍ମକ ଊର୍ଜା ଉତ୍ପନ ହୋଇଥାଏ। ବ୍ୟବସାୟରେ ଉନ୍ନତି ପାଇଁ ବି ଅଫିସ୍‌ରେ ବାମ୍ବୋ ପ୍ଲାଣ୍ଟ ଲଗାଇପାରବେ।

* ମନି ପ୍ଲାଣ୍ଟକୁ ଧନପ୍ରାପ୍ତିର ପ୍ଲାଣ୍ଟ ବୋଲି କୁହାଯାଇଥାଏ। ଯଦି ବ୍ୟବସାୟରେ ବାରମ୍ବାର କ୍ଷତି ହେଉଥାଏ, ଅଫିସ୍‌ ଟେବୁଲ୍‌ ଉପରେ ଗୋଟିଏ ମନି ପ୍ଲାଣ୍ଟ ରଖିବା ସହ ଏହାର ସଫାସୁତୁରା ପ୍ରତି ଯଥେଷ୍ଟ ଧ୍ୟାନ ଦେଲେ ବ୍ୟବସାୟରେ ଲାଭ ହେବା ସହିତ କାମ କରିବାକୁ ଇଚ୍ଛା ହୋଇଥାଏ।

* ଅଫିସ୍‌ ଟେବୁଲ୍‌ ଉପରେ ଫିଟିକିରି ହେଉ ଅବା ଶ୍ରୀଯନ୍ତ୍ର କିମ୍ବା କ୍ରିଷ୍ଟାଲ୍‌ ବଲ୍‌ ରଖିଲେ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବା ସହ ଅଫିସ୍‌ ବାତାବରଣ ସର୍ବଦା ଶାନ୍ତିପୂର୍ଣ୍ଣ ରହିଥାଏ।

* ଧ୍ୟାନ ଦେବେ, ଅଫିସ୍‌ର କୌଣସି ଆସବାବପତ୍ର, କବାଟ, ଝରକା ଆଦି ଭଙ୍ଗାରୁଜା ହୋଇ ନଥିବ କିମ୍ବା ଏହାକୁ ବ୍ୟବହାର କରିବା ସମୟରେ ଏଥିରୁ ଶବ୍ଦ ବାହାରୁ ନଥିବ। କାରଣ ଏହା କାର୍ଯ୍ୟକ୍ଷେତ୍ରରେ ନକାରାତ୍ମକ ଉର୍ଜ୍ଜା ଉତ୍ପନ କରିଥାଏ।