Categories: ଜାତୀୟ

କାମ କର ନଚେତ୍‌ ଅନ୍ୟକୁ ବାଟ ଛାଡ଼

ନୂଆଦିଲ୍ଲୀ,୫।୧୨(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ରବିବାର ଦଳ ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ନେତାମାନେ ଦଳ ପାଇଁ କାମ କରନ୍ତୁ, ନହେଲେ ଅନ୍ୟମାନଙ୍କୁ ବାଟ ଛାଡ଼ିଦିଅନ୍ତୁ ବୋଲି ଖାର୍ଗେ ବୈଠକରେ କଡ଼ା ବାର୍ତ୍ତା ଦେଇଛନ୍ତି। ସେହିପରି ଉପରୁ ତଳ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକର୍ତ୍ତା ଉତ୍ତରଦାୟୀ ରହିବା ଉପରେ ଦଳ ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଛନ୍ତି। ଦଳର ଅଧିବେଶନ ଫେବୃୟାରୀ ମଧ୍ୟଭାଗରେ ଛତିଶଗଡ଼ର ରାୟପୁରରେ ଅନୁଷ୍ଠିତ ହେବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି।

କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଜାନୁୟାରୀ ୨୬ରେ ଶେଷ ହେବାକୁ ଥିବାବେଳେ ଲୋକଙ୍କ ସହ ଯୋଡ଼ିହୋଇ ରହିବା ଲାଗି ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ‘ହାତରେ ହାତ ଯୋଡ଼’ ଅଭିଯାନ ଚାଲିବ। ଏହି ସମୟରେ ଗାଁରୁ ବ୍ଲକ୍‌ ଏବଂ ଜିଲା ସ୍ତର ପର୍ଯ୍ୟନ୍ତ ପଦଯାତ୍ରା ହୋଇ ରାଜ୍ୟ ମୁଖ୍ୟାଳୟରେ ସାଧାରଣ ସଭାରେ ଶେଷ ହେବ। ଏହି ଯାତ୍ରାରେ ମୁଖ୍ୟ ବାର୍ତ୍ତା ରାହୁଲ ଗାନ୍ଧୀ ଦେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅଭିଯୋଗ ପତ୍ର ଦିଆଯିବ। ଏଥିସହିତ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନେତୃତ୍ୱରେ ସାରା ଦେଶରେ ମହିଳା କଂଗ୍ରେସ କର୍ମୀମାନେ ରାଜ୍ୟସ୍ତରରେ ଶୋଭାଯାତ୍ରା କରିବେ।

ପ୍ରାରମ୍ଭିକ ଉଦ୍‌ବୋଧନରେ ଖାର୍ଗେ ସାଂଗଠନିକ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି। ଦଳର ପ୍ରଭାରୀମାନେ ମାସକୁ ଅନୂ୍ୟନ ୧୦ ଦିନ ସେମାନଙ୍କ ଦାୟିତ୍ୱରେ ଥିବା ରାଜ୍ୟ ଗସ୍ତ କରିବାକୁ କୁହାଯାଇଛି। ଜନ ଆନ୍ଦୋଳନ ଆୟୋଜନ କରି ଲୋକଙ୍କ ପ୍ରସଙ୍ଗ ଉଠାଇବା ନିମନ୍ତେ ୩୦ରୁ ୯୦ ଦିନ ମଧ୍ୟରେ କାର୍ଯ୍ୟଖସଡ଼ା ଦାଖଲ ନିମନ୍ତେ ଖାର୍ଗେ ରାଜ୍ୟ ପ୍ରଭାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୪ରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ କଂଗ୍ରେସ ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି।

Share