ଆନ୍ତଃରାଜ୍ୟ ପରିବହନ ବନ୍ଦ କରନାହିଁ

ନୂଆଦିଲ୍ଲୀ, ୨୩।୮: ଅନ୍‌ଲକ୍‌ ୩ ବା କରୋନାଜନିତ ଲକ୍‌ଡାଉନ କଟକଣା କୋହଳ ହେବାର ତୃତୀୟ ପର୍ଯ୍ୟାୟରେ ଆନ୍ତଃରାଜ୍ୟ କିମ୍ବା ରାଜ୍ୟ ଭିତରେ ଜନସାଧାରଣଙ୍କ ଯାତାୟାତ ଓ ମାଲ୍‌ ପରିବହନ ଉପରେ କେନ୍ଦ୍ରୀୟ ଗାଇଡ୍‌ଲାଇନରେ କୌଣସି କଟକଣା ଲାଗୁ ହୋଇନାହିଁ। ତେଣୁ ଆନ୍ତଃରାଜ୍ୟ ଯାତାୟାତ ଓ ପରିବହନ ବନ୍ଦ ନ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ସ୍ବରାଷ୍ଟ୍ର ସଚିବ ଅଜୟ କୁମାର ଭାଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଶନିବାର ପତ୍ର ଲେଖି ଏହା ମନେ ପକାଇଦେଇଛନ୍ତି।
ଅନେକ ରାଜ୍ୟର ଜିଲାସ୍ତରୀୟ ଅଧିକାରୀମାନେ ପରିବହନ ଉପରେ କଟକଣା ଜାରି କରୁଥିବା ଜଣାପଡିଛି। ଏହାଦ୍ୱାରା ଯୋଗାଣ ଶୃଙ୍ଖଳ ପ୍ରଭାବିତ ହେବା ସହ ଆର୍ଥିକ କାର୍ଯ୍ୟକଳାପ ଓ ନିଯୁକ୍ତି ବାଧାପ୍ରାପ୍ତ ହେଉଛି ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। ଗମନାଗମନ ଓ ସାମଗ୍ରୀ ପରିବହନ ପାଇଁ ପୃଥକ ଅନୁମତି କିମ୍ବା ଇ-ପର୍‌ମିଟ୍‌ର ଆବଶ୍ୟକତା ନାହିଁ ବୋଲି ଗାଇଡ୍‌ଲାଇନର ପାରାଗ୍ରାଫ୍‌ ୫ରେ କୁହାଯାଇଥିଲା। ରାଜ୍ୟଗୁଡ଼ିକ ଯଦି କଟକଣା ଜାରି କରନ୍ତି ତେବେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ବ୍ୟବସ୍ଥା ଅନୁଯାୟୀ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ଗାଇଡ୍‌ଲାଇନର ଉଲ୍ଲଂଘନ ହେବ ବୋଲି ଭାଲ୍ଲା ସତର୍କ କରାଇଦେଇଛନ୍ତି। ଯଦି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ କୌଣସି କଟକଣା ଲଗାଇଥାନ୍ତି, ତେବେ ତାକୁ ତୁରନ୍ତ ପ୍ରତ୍ୟାହାର ସହ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗାଇଡ୍‌ଲାଇନ ପାଳନ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଲକ୍‌ଡାଉନର ପ୍ରଥମ ଦୁଇମାସ ସୀମାପାର ଯାତାୟାତ ଓ ମାଲ୍‌ ପରିବହନ ବନ୍ଦ ରହିଥିଲା।
ମେ’ ଆରମ୍ଭରୁ କଟକଣା କୋହଳ କରାଯାଇ ରାଜ୍ୟ ଭିତରେ ଯାତାୟାତ ଓ ମାଲ୍‌ ପରିବହନକୁ ଅନୁମତି ଦିଆଯାଇଥିଲା। ଜୁଲାଇରେ ଅନ୍‌ଲକ୍‌ ୩ ଗାଇଡ୍‌ଲାଇନ ଘୋଷଣା ସହ ଆନ୍ତଃରାଜ୍ୟ ଏବଂ ରାଜ୍ୟ ଭିତରେ ଗମନାଗମନ ଓ ମାଲ୍‌ ପରିବହନ ଉପରୁ କଟକଣା ସମ୍ପୂର୍ଣ୍ଣ ହଟାଇ ଦିଆଯାଇଥିଲା । ଏଥିପାଇଁ ଅଲଗା ଅନୁମତି କିମ୍ବା ଇ-ପର୍‌ମିଟ୍‌ର ଆବଶ୍ୟକତା ନାହିଁ ବୋଲି କୁହାଯାଇଥିଲା।

Share