Categories: ଜାତୀୟ

ଆତଙ୍କ ସୃଷ୍ଟି କରନାହିଁ

ନୂଆଦିଲ୍ଲୀ, ୧୭ା୫ (ଆଇଏଏନ୍‌ଏସ୍‌): ଛତିଶଗଡ଼ରେ ୨,୦୦୦ କୋଟି ଟଙ୍କାର ମଦ ଦୁର୍ନୀତିର ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆତଙ୍କର ବାତାବରଣ ସୃଷ୍ଟି ନ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଏହି ମାମଲାରେ ଅଭିଯୁକ୍ତ କରାଇବା ପାଇଁ ଉଦ୍ୟମ ହେଉଥିବା ରାଜ୍ୟ ସରକାର ଅଭିଯୋଗ କରିବା ପରେ ଜଷ୍ଟିସ୍‌ ଏସ୍‌.କେ. କୌଲ ଏବଂ ଏ. ଅମାନୁଲ୍ଲାଙ୍କ ଖଣ୍ଡପୀଠ ଉପରୋକ୍ତ ପରାମର୍ଶ ଦେଇଛନ୍ତି। ଛତିଶଗଡ଼ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଥିଲେ, ଇଡି ପକ୍ଷରୁ ଅବକାରୀ ଅଧିକାରୀଙ୍କୁ ଧମକ ଦିଆଯାଉଛି। ଆଗକୁ ନିର୍ବାଚନ ଥିବାରୁ ଏଭଳି କରାଯାଉଥିବା ସେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଇଡି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌.ଭି. ରାଜୁ ସିବଲଙ୍କ ଯୁକ୍ତକୁ ଖଣ୍ଡନ କରିବା ସହ ଇଡି ଦୁର୍ନୀତିର ତଦନ୍ତ କରୁଥିବା କହିଥିଲେ।
ଛତିଶଗଡ଼ ମଦ ଦୁର୍ନୀତି ମାମଲାରେ ଇଡି ମେ’ ୧୨ରେ ଅବକାରୀ ବିଭାଗ ସ୍ବତନ୍ତ୍ର ସଚିବ ଅରୁଣ ପତି ତ୍ରିପାଠୀଙ୍କୁ ଗିରଫ କରିଛି। ଅରୁଣ ଅବକାରୀ ନୀତିରେ ପରିବର୍ତ୍ତନ ଆଣିବାରୁ ୨୦୧୯ରୁ ୨୦୨୨ ମଧ୍ୟରେ ୨,୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇପାରିଥିବା ଦର୍ଶାଇ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍‌ଏଲ୍‌ଏ) ବଳରେ ଇଡି ଏହି ମାମଲାର ତଦନ୍ତ ଚଳାଇଛି। ଅରୁଣ ଭାରତୀୟ ଟେକିକମ୍‌ ସେବାରୁ ଆସି ଛତିଶଗଡ଼ ସରକାରଙ୍କ ଅଧୀନରେ ୭ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି। ଛତିଶଗଡ଼ ଷ୍ଟେଟ୍‌ ମାର୍କେଟିଂ କୋଅପରେଶନ ଲିଃ (ସିଏସ୍‌ଏମ୍‌ସିଏଲ୍‌) ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅରୁଣଙ୍କୁ ରାଜ୍ୟ ସରକାର ଅବକାରୀ ବିଭାଗରେ ସ୍ବତନ୍ତ୍ର ସଚିବ ଦାୟିତ୍ୱ ଦେଇଛନ୍ତି।

Share