ନୂଆଦିଲ୍ଲୀ,୫।୬(ପି.ଟି.):ଦୀର୍ଘ ଦିନର ସହଯୋଗୀ କଂଗ୍ରେସ ସହ ସମ୍ପର୍କ ଛିନ୍ନ ହେବା ପରେ ଲୋକ ସଭାରେ କଂଗ୍ରେସ ଏମ୍ପିମାନଙ୍କଠାରୁ ଅଲଗା ଆସନରେ ବସିବା ପାଇଁ ଡିଏମ୍କେକୁ ସଂସଦୀୟ ସଚିବାଳୟ ପକ୍ଷରୁ ଅନୁମତି ମିଳିଛି । ତାମିଲନାଡୁରେ ଟିଭିକେ ସରକାରରେ କଂଗ୍ରେସ ସାମିଲ ହେବା ପରେ ଦୁଇ ଦଳ ମଧ୍ୟରେ ଥିବା ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଗତ ମାସରେ ଡିଏମ୍କେ ସଂସଦୀୟ ଦଳର ନେତ୍ରୀ କାନିମୋଝି କରୁଣାନିଧି ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ପତ୍ର ଲେଖି ସଦନରେ ଦଳୀୟ ଏମ୍ପିମାନଙ୍କ ବସିବା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲେ।
ରାଜ୍ୟର ବଦଳିଥିବା ରାଜନୈତିକ ପରିସ୍ଥିତିରେ କଂଗ୍ରେସ ସହ ଏକାଠି ବସିବା ଆଉ ସମୀଚୀନ ନୁହେଁ ବୋଲି ସେ ଦର୍ଶାଇଥିଲେ। ସୂତ୍ର ଅନୁସାରେ, ଡିଏମ୍କେ ଏମ୍ପିମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଆସନ ବ୍ୟବସ୍ଥା ନେଇ ସଂସଦୀୟ ସଚିବାଳୟ ବର୍ତ୍ତମାନ କାର୍ଯ୍ୟ କରୁଛି। କେବଳ ସେତିକି ନୁହେଁ, ଆସନ୍ତା ଜୁନ ୮ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଦଳଗୁଡ଼ିକର ‘ଇଣ୍ଡିଆ’ ମେଣ୍ଟ ବୈଠକରେ ମଧ୍ୟ ଡିଏମ୍କେ ସାମିଲ ହେବାର ସମ୍ଭାବନା ନାହିଁ।