Categories: ଖେଳ

କ୍ୱାର୍ଟରରେ ଜୋକୋଭିଚ୍‌-ଖାଚାନୋଭ

ପ୍ୟାରିସ୍‌, ୫ା୬: କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନ କ୍ୱାର୍ଟର ଫାଇନାଲରେ ସର୍ବିଆର ନୋଭାକ୍‌ ଜୋକୋଭିଚ୍‌ ପ୍ରବେଶ କରିଛନ୍ତି। ରାଫେଲ ନାଡାଲଙ୍କ ଅନୁପସ୍ଥିତିରେ ଟାଇଟଲ୍‌ ଫେବରିଟ୍‌ ଭାବରେ ବିବେଚିତ ଜୋକୋଭିଚ୍‌ ଜୁଆନ୍‌ ପାବ୍‌ଲୋ ଭାରିଲାସଙ୍କୁ ୬-୩, ୬-୨, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ରେକର୍ଡ ୧୭ତମ ଥର ସେ ଫ୍ରେଞ୍ଚ ଓପନର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୨୨ ଗ୍ରାଣ୍ଡସ୍ଲାମ ହାସଲକାରୀ ନାଡାଲଙ୍କ ସହ ଯୁଗ୍ମ ଭାବରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଏଠାରେ ତାଙ୍କୁ ଅତିକ୍ରମ କରିବାର ସୁଯୋଗ ରହିଛି। ଜୋକୋଭିଚ୍‌ଙ୍କ ବ୍ୟତିତ କାରେନ୍‌ ଖାଚାନୋଭ୍‌ ମଧ୍ୟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଜୁଆନ୍‌ ପାବ୍‌ଲେ ଭାରିଲାସଙ୍କ ବିପକ୍ଷରେ ଜୋକୋଭିଚ୍‌ଙ୍କ ଆରମ୍ଭ ବେଶ ବଢିଆ ରହିଥିଲା। ଦୁଇ ଘଣ୍ଟା ଧରି ଖେଳା ଯାଇଥିବା ମ୍ୟାଚକୁ ସେ ଜିତିଥିଲେ। ଏହା ସହିତ କ୍ୟାରିୟରର ୫୫ତମ ମେଜର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସମର୍ଥ ହୋଇଛନ୍ତି ଜୋକୋଭିଚ୍‌। କେବଳ ରୋଜର ଫେଡେରର ୫୮ ମେଜର କ୍ୱାର୍ଟରଫାଇନାଲ ସହିତ ଆଗରେ ରହିଛନ୍ତି। ମଙ୍ଗଳବାର ଜୋକୋଭିଚ୍‌ ୧୧ ନମ୍ବର ସିଡ୍‌ କାରେନ୍‌ ଖାଚାନୋଭଙ୍କୁ ଭେଟିବେ। ଖାଚାନୋଭ୍‌ କୌଣସି ଗ୍ରାଣ୍ଡସ୍ଲାମରେ ଜୋକୋଭିଚ୍‌ଙ୍କୁ ହରାଇ ନ ଥିବା ବେଳେ ବିଜୟ-ପରାଜୟ ରେକର୍ଡ ୧-୮ ରହିଛି। ଲୋରେଞ୍ଜୋ ସୋନେଗୋଙ୍କୁ ୧-୬, ୬-୪, ୭-୬(୭) ଓ ୬-୧ ସେଟ୍‌ରେ ହରାଇ ପଞ୍ଚମ ଗ୍ରାଣ୍ଡସ୍ଲାମ କ୍ୱାର୍ଟରରେ ପ୍ରବେଶ କରିଛନ୍ତି ଖାଚାନୋଭ୍‌।
ମହିଳା ସିଙ୍ଗଲ୍ପରେ ଦୁଇ ଅଣସିଡେଡ୍‌ ଖେଳାଳି କାରୋଲିନା ମୁଚୋଭା ଓ ଆନାସ୍ତାସିଆ ପାଭ୍ଲ୍ୟୁଚେଙ୍କୋଭା ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ ଜିତିବା ସହିତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଖେଳାଳି ମଙ୍ଗଳବାର ପରସ୍ପର ବିରୋଧରେ ଖେଳିବେ। ଆନାସ୍ତାସିଆ ପାଭ୍ଲ୍ୟୁଚେଙ୍କୋଭା ବିଶ୍ୱ ମାନ୍ୟତାର ୨୮ ନମ୍ବର ସ୍ଥାନରେ ଥିବା ଏଲିସ ମର୍ଟେନ୍ସଙ୍କୁ ୩-୬, ୭-୬(୩) ଓ ୬-୩ ସେଟ୍‌ରେ ପରାସ୍ତ କରିଥିଲେ। ଅନ୍ୟ ପକ୍ଷରେ କାରୋଲିନା ମୁଚୋଭା ୬-୪, ୬-୪ର ସିଧାସଳଖ ସେଟ୍‌ରେ ଏଲିନା ଆଭାନେସ୍ୟାନଙ୍କୁ ପରାସ୍ତ କରିଥିଲେ।

 

Share