ଆଶାର ଆଲୋକରେ କୁମ୍ଭକାର

କୋକସରା,୨୪।୧୦(ଡି.ଏନ୍‌.ଏ.): ଆଜି ଆଲୋକର ପର୍ବ ଦୀପାବଳି। ଏନେଇ ଗାଁଠୁ ସହର ଉତ୍ସବମୁଖର। ହେଲେ କିଛି ରୋଜଗାର ଆଶାରେ ସାପ୍ତାହିକ ହାଟ ବଜାର ସାଙ୍ଗକୁ ଘରକୁ ଘର ବୁଲି ମାଟି ଦୀପ ବିକ୍ରି କରୁଛନ୍ତି କଳାହାଣ୍ଡି ଜିଲା କୋକସରା ବ୍ଲକରେ ରହୁଥିବା କୁମ୍ଭକାର ସମ୍ପ୍ରଦାୟର ମହିଳା।

ଆଧୁନିକତା ଛାପରେ କିଛିଟା ବେଉସା ଉପରେ ଅଙ୍କୁଶ ଲାଗିଥିଲେ ମଧ୍ୟ ଦୀପାବଳିରେ ରିହିଛି ମାଟିଦୀପର ଚାହିଦା। କୌଳିକ ବୃତ୍ତିକୁ ନେଇ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା କୁମ୍ଭକାର ପରିବାର ପାଇଁ ଦୀପାବଳି ଆଣି ଦେଇଛି ଆଶାର ଆଲୋକ। ତେବେ କୁମ୍ଭକାର ପରିବାରର ନୂତନ ପିଢ଼ି ଏହି କୁଳ ବେଉଷା ପ୍ରତି ଆନ୍ତରିକତା ଦେଖାଉ ନ ଥିବା କହନ୍ତି ବୟସ୍କ କୁମ୍ଭକାର କାରିଗର। ଜିଲା ଓ ବ୍ଲକ ପ୍ରଶାସନ ଏହି ମାଟି ସାମଗ୍ରୀ ବିକ୍ରି ପାଇଁ ସରକାରୀସ୍ତରରେ ବ୍ୟବସ୍ଥା କଲେ ହୁଏତ ଆଗକୁ କିଛି ପରିବର୍ତ୍ତନ ହେବ ବୋଲି ମାଝିଗୁଡା, ଫୁପଗାଁ ଓ କାଉଡୋଲା ଗ୍ରାମର କୁମ୍ଭକାର ପରିବାର କହିଛନ୍ତି।

ଅନ୍ୟପକ୍ଷେ କୁମ୍ଭାର ପରିବାର ବର୍ଷ ସାରା ଆଲୋକର ପର୍ବ ଦୀପାବଳିକୁ ଅପେକ୍ଷା କରି ରୁହନ୍ତି। ହେଲେ ଗତ ୨ ବର୍ଷ କରୋନା ମାଡ଼ରେ ଅଣ୍ଟା ଭାଙ୍ଗି ପଡିଥିବା କୋକସରା ବ୍ଲକର ମାଝିଗୁଡା, ଫୁପଗାଁ, କାଉଡୋଲା ଆଦି ଗ୍ରାମରେ ରହୁଥିବା ଅନେକ କୁମ୍ଭକାର ପରିବାର ଚଳିତ ଦୀପାବଳୀରେ କିଛି ରୋଜଗାର ଆଶାରେ ବହୁ ସଂଖ୍ୟକ ମାଟି ତିଆରି ଦୀପ ସହ ବହୁ ସାମଗ୍ରୀ ତିଆରି କରିଛନ୍ତି।