Categories: ଜାତୀୟ

ହିଜାବ ମାମଲାରେ ବିଭାଜିତ ରାୟ

ନୂଆଦିଲ୍ଲୀ,୧୪।୧୦(ପି.ଟି.):କର୍ନାଟକର ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ନିଷେଧ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ବିଭାଜିତ ରାୟ ପ୍ରଦାନ କରିଛନ୍ତି। ଫଳରେ ଏକ ବୃହତ୍ତର ପୀଠରେ ମାମଲାର ବିଚାର ଲାଗି ଏହାକୁ ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ପାଖକୁ ପଠାଯାଇଛି। ବୃହତ୍ତର ପୀଠରେ ବିଚାର ଶେଷ ନ ହେବା ପର୍ଯ୍ୟନ୍ତ ହିଜାବ ଉପରେ କର୍ନାଟକ ହାଇକୋର୍ଟଙ୍କ ରାୟ କାର୍ଯ୍ୟକାରୀ ରହିବ।
ଶ୍ରେଣୀ ଗୃହରେ ହିଜାବ ନିଷେଧ ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଉଡ଼ୁପିର ସରକାରୀ ପ୍ରି-ୟୁନିଭର୍ସିିଟି ମହିଳା ମହାବିଦ୍ୟାଳୟର କେତଜେଣ ମୁସଲମାନ ଛାତ୍ରୀ କର୍ନାଟକ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଗତ ମାର୍ଚ୍ଚ ୧୫ରେ ହାଇକୋର୍ଟ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ। ଇସ୍‌ଲାମ ଧର୍ମରେ ହିଜାବ ଅତି ଜରୁରୀ ଧର୍ମୀୟ ପ୍ରଥା ନୁହେଁ ବୋଲି ହାଇକୋର୍ଟ ତାଙ୍କ ରାୟରେ କହିଥିଲେ। ଉକ୍ତ ରାୟ ବିରୋଧରେ ହୋଇଥିବା ଆବେଦନକୁ ଜଷ୍ଟିସ୍‌ ହେମନ୍ତ ଗୁପ୍ତା ଖାରଜ କରିଦେଇଛନ୍ତି। ଶିକ୍ଷାନୁଷ୍ଠାନରେ ହିଜାବ ପରିଧାନ ଉପରେ ପ୍ରତିବନ୍ଧକ ରହିବା ଠିକ୍‌ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍‌ ସୁଧାଂଶୁ ଧୁଲିଆ ହାଇକୋର୍ଟଙ୍କ ରାୟ ବିରୋଧରେ ଆବେଦନକୁ ଅନୁମତି ଦେବା ସହ ହିଜାବ ପରିଧାନ ମହିଳାମାନଙ୍କ ପସନ୍ଦର କଥା ବୋଲି କହିଥିଲେ। ଏହା ବଦଳରେ ଗ୍ରାମାଞ୍ଚଳର ବାଳିକାମାନଙ୍କ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ହାଇକୋର୍ଟ ବୋଧହୁଏ ଭୁଲ୍‌ ରାସ୍ତାରେ ଯାଇଥିବା ଜଷ୍ଟିସ୍‌ ଧୁଲିଆ କହିଥିଲେ। ମାମଲାକୁ ନେଇ ମତଭେଦ ଦେଖାଦେଇଥିବା ଖଣ୍ଡପୀଠର ମୁଖ୍ୟ ଜଷ୍ଟିସ ଗୁପ୍ତା ରାୟ ଘୋଷଣା ବେଳେ କହିଛନ୍ତି। ଜଷ୍ଟିସ୍‌ ଗୁପ୍ତା କହିଛନ୍ତି, ତାଙ୍କ ରାୟ ଉପରେ ସେ ୧୧ଟି ପ୍ରଶ୍ନ ଫ୍ରେମ୍‌ କରିଛନ୍ତି, ଯାହାର ଉତ୍ତର ଆବେଦନକାରୀଙ୍କ ବିରୋଧରେ ଯାଉଛି। ସେହି ପ୍ରଶ୍ନ ମଧ୍ୟରେ ରହିଛି ସମ୍ବିଧାନର ଅନୁଚ୍ଛେଦ ୨୫ ଅଧୀନରେ ଥିବା ଅନ୍ତଃକରଣ ଓ ଧର୍ମ ସ୍ବାଧୀନତା ଏବଂ ଜରୁରୀ ଧର୍ମୀୟ ପ୍ରଥାର ଅଧିକାର ପରିସର ଅନ୍ତର୍ଭୁକ୍ତ। ଅନୁଚ୍ଛେଦ ୧୯(୧)(ଏ) ଅଧୀନରେ ଅଭିବ୍ୟକ୍ତି ସ୍ବାଧୀନତାର ମୌଳିକ ଅଧିକାର ଏବଂ ଅନୁଚ୍ଛେଦ ୨୧ ଅଧୀନରେ ଥିବା ଗୋପନୀୟତା ଅଧିକାର ପରସ୍ପରଠାରୁ ଅଲଗା କିମ୍ବା ଗୋଟିଏ ଅନ୍ୟଟିର ପରିପୂରକ ଏହା ଉପରେ ବିଚାର ଆବଶ୍ୟକ। ବିଭାଜିତ ରାୟ ଆସିଥିବାରୁ ହାଇକୋର୍ଟଙ୍କ ରାୟ ବିରୋଧରେ ହୋଇଥିବା ପିଟିଶନଗୁଡ଼ିକୁ ପ୍ରଧାନ ବିଚାରପତିଙ୍କ ନିକଟରେ ଉପସ୍ଥାପନ କରାଯିବ, ଯାହା ଫଳରେ ସେ ଉପଯୁକ୍ତ ବୃହତ୍ତର ପୀଠ ଗଠନ କରିବେ।

Share