ଜିଲାର ପ୍ରଥମ ମିଶନ ଶକ୍ତି କାଫେ ଉଦ୍‌ଘାଟିତ

ବିଷମକଟକ,୩।୫(ଡି.ଏନ୍‌.ଏ.): ରାୟଗଡା ଜିଲା ବିଷମକଟକରେ ମଙ୍ଗଳବାର ଜିଲାର ପ୍ରଥମ ମିଶନ ଶକ୍ତି କାଫେ ଉଦ୍‌ଘାଟିତ ହୋଇଛି। ବିଷମକଟକ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମିତ ଏହି କାଫେକୁ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ଜିଲାପାଳ ସ୍ବଧାଦେବ ସିଂ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୂସୟା ମାଝି, ଜିଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି, ବିଷମ କଟକ ବ୍ଲକ ଅଧ୍ୟକ୍ଷା ଯଶୋଦା ହୁଇକା, ଜିଲା ପରିଷଦ ସଦସ୍ୟା ସୁଜାତା କାଡ୍ରାକା, ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ନମିତା କୁଲସିକା ପ୍ରମୁଖ ଯୋଗ ଦେଇଥିଲେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କ ଦ୍ୱାରା ଏହି କାଫେ ପରିଚାଳନା କରାଯିବ। ଏଠାରେ ଭଳିକି ଭଳି ଖାଦ୍ୟ ପରସାଯିବା ବ୍ୟବସ୍ଥା କରାଯାଇଛି ।
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି କର୍ମନିଯୁକ୍ତି ଯୋଜନାରେ ଏହି ଲୋକାଭିମୁଖୀ ପ୍ରକଳ୍ପଟି ପ୍ରାୟ ୨୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ପ୍ରକଳ୍ପ ନିର୍ମାଣର ସିଂହଭାଗ ରାଶି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅନ୍ତର୍ଗତ ହୋଇଥିବା ହେତୁ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବିଷମକଟକ ବ୍ଲକ ପ୍ରଶାସନ ଏବଂ ଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାତ୍ର ୪ ମାସ ମଧ୍ୟରେ କାଫେ ନିର୍ମାଣ ସଂପୂର୍ଣ୍ଣ କରାଯାଇଛି। ସ୍ବଳ୍ପ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସରିଥିବାରୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ। ଏହାପରେ ବିଷମକଟକ ବସ୍‌ଷ୍ଟାଣ୍ଡ ନିକଟରେ ନିର୍ମିତ ସେଲଫି ପଏଣ୍ଟକୁ ମନ୍ତ୍ରୀ ଲୋକାର୍ପଣ କରିଥିଲେ। ସେଠାରୁ ମନ୍ତ୍ରୀ ଏବଂ ଅତିଥିମାନେ କୁଟ୍ରାଗଡା ଗ୍ରାମକୁ ଯାଇ ସ୍ବୟଂ ସହାୟିକା ଗୋଷ୍ଠୀ କର୍ମଶାଳା କେନ୍ଦ୍ର, ହାଟମୁନିଗୁଡା ପଞ୍ଚାୟତରେ ଏସ୍‌ଏଚଜି ସଭ୍ୟାଙ୍କ ନିମନ୍ତେ ଟେଲରିଂ ଟ୍ରେନିଙ୍ଗ କେନ୍ଦ୍ର,ସାପ୍ତାହିକ ହାଟ, ପଞ୍ଚାୟତ ବିଶ୍ରାମ କକ୍ଷ ଏବଂ ଦୁର୍ଗୀଠାରେ ଟେଲରିଂ ଟ୍ରେନିଙ୍ଗ ସେଣ୍ଟର ଉଦ୍‌ଘାଟନ କରିଛନ୍ତି । ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାସିବ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଦ୍‌ଘାଟନୀ କାର୍ଯକ୍ରମ ଆୟୋଜିତ ହୋଇଥିଲା। ସହକାରୀ ଯନ୍ତ୍ରୀ ପ୍ରତିଶ ତ୍ରିପାଠୀ, କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ବେହେରା, ଗୋପୀନାଥ ମହାଙ୍କୁଡ, ଓପିଲିପି ପ୍ରୋଗ୍ରାମ ମ୍ୟାନେଜର ସୁଦର୍ଶନ ପାଢୀ, ଶିବ ଓରାମ, ଦିପକ ନାୟକଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।