ଦୟନୀୟ ସ୍ଥିତିରେ ଜିଲା ପର୍ଯ୍ୟଟନ ବିଭାଗ

ଭବାନୀପାଟଣା,୨୬।୫(ସ୍ବ.ପ୍ର): ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ କଳାହାଣ୍ଡି ଜିଲାର ସ୍ଥାନ ସ୍ବତନ୍ତ୍ର ରହିଛି। ବର୍ତ୍ତମାନ ସୁଦ୍ଧା ସରକାରୀ ସ୍ତରରେ ଜିଲାରେ ୧୭ଟି ପର୍ଯ୍ୟଟନସ୍ଥଳୀ ରହିଛି। ତେବେ ଏହାର ତଦାରଖ ଓ ନୂତନତ୍ୱ ସର୍ଭେ କରିବାର ଦାୟିତ୍ୱ ସ୍ଥାନୀୟ ପର୍ଯ୍ୟଟନ ବିଭାଗର ରହିଥିବାବେଳେ ଜିଲାରେ ଏହି ବିଭାଗର ଦୟନୀୟ ସ୍ଥିତି ଏବେ ସାମ୍‌ନାକୁ ଆସିଛି। ଏଠାରେ ଦୀର୍ଘ ବର୍ଷରୁ ସ୍ଥାୟୀ ପିଅନ, ଚୌକିଦାର, ବରିଷ୍ଠ କିରାଣୀ, ଷ୍ଟାଟିଷ୍ଟିକାଲ ଆକାଉଣ୍ଟାଣ୍ଟପଦବୀ ଖାଲି ପଡିଛି। ସେହିପରି କୋରାପୁଟରୁ ଡେପୁଟେସନରେ ଆସି ଜଣେ ପିଅନ ଏଠାରେ କାର୍ଯ୍ୟକରୁଥିବାବେଳେ କନିଷ୍ଠ କିରାଣୀ କଳାହାଣ୍ଡି ସମେତ ବଲାଙ୍ଗୀର ଓ ଜିଲା ପର୍ଯ୍ୟଟନ ଅଧିକାରୀ ମଧ୍ୟ କଳାହାଣ୍ଡି ସମେତ ନୂଆପଡା ଜିଲା ସମ୍ଭାଳୁଛନ୍ତି। ଫଳରେ ଏହି କାର୍ଯ୍ୟାଳୟ କେମିତି ଚାଲୁଥିବ ତାହା ସହଜେ ଅନୁମେୟ। ଅନ୍ୟପକ୍ଷରେ ଆରମ୍ଭ ଦିନଠୁ ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ଜିଲା ସଂସ୍କୃତି ବିଭାଗର ଲାଇବ୍ରେରି ରୁମ୍‌ରେ ଚାଲୁଛି। ଗତ ଦେଢ ବର୍ଷ ତଳେ ୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ରିଷଗଁା ନିକଟରେ ପର୍ଯ୍ୟଟନ ବିଭାଗର ନୂତନ କୋଠା ନିର୍ମାଣ ସରିଛି। ହେଲେ କର୍ମଚାରୀ ଅଭାବରୁ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇନାହଁି। ଏପଟେ ଦେଢ ବଷ ର୍‌ ଧରି ନୂତନ କୋଠା ଖାଲି ପଡିଥିବା ସୁଯୋଗ ନେଇ ଗତ ଡିସେମ୍ବର ମାସରେ ସେଠାରେ ଲାଗିଥିବା ୫ଟି ପଙ୍ଖାକୁ ଚୋରମାନେ ଚୋରି କରିନେଇଥିଲେ। ଯାହାକୁ ନେଇ ଜିଲା ପର୍ଯ୍ୟଟନ ଅଧିକାରୀ ସ୍ଥାନୀୟ ଟାଉନ ଥାନାରେ ଏତଲା ମଧ୍ୟ ଦେଇଥିଲେ। ନୂତନ କୋଠାଟି ପ୍ରାୟ ୧ କୋଟି ଟଙ୍କାରେ ନିର୍ମାଣ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏ ନେଇ ଜିଲା ପର୍ଯ୍ୟଟନ ଅଧିକାରୀ ସୁବୋଧ ଛତ୍ରିଆଙ୍କୁ ପଚାରିବାରୁ ଖାଲିପଡିଥିବା ପଦବୀ ପୂରଣ କରିବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛି ବୋଲି କହିଥିଲେ। ସେହିପରି ନୂତନ କୋଠା ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି କହିଥିଲେ।