ଆନ୍ତଃ ଜିଲା ପେନ୍‌ସନ ଅଦାଲତ ଉଦ୍‌ଘାଟିତ ୬୯୨ ପେନ୍‌ସନ, ଭବିଷ୍ୟନିଧି ଅଭିଯୋଗର ଶୁଣାଣି

କୋରାପୁଟ,୨୨ା୫(ଅମିତାଭ ବେହେରା)-କୋରାପୁଟ ସଦ୍‌ଭାବନା ଗୃହରେ ୨ଦିନିଆ ଆନ୍ତଃ ଜିଲା ପେନ୍‌ସନ ଅଦାଲତ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନ୍‌ସନ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ବକେୟା ସମସ୍ୟାର ତ୍ୱରିତ ସମାଧାନ ଉଦ୍ଦେଶ୍ୟରେ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲାର ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଅଦାଲତର ଆୟୋଜିତ ହୋଇଛି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଜିଲା ପ୍ରଶାସନ ଓ ପ୍ରଧାନ ମହାଲେଖାକାର(ଏଜି) ଓଡ଼ିଶା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଅଦାଲତର ପ୍ରଥମ ଦିନରେ ୬୯୨ ପେନ୍‌ସନ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ଅଭିଯୋଗ ଓ ୧୨୧ ଅବସରପ୍ରାପ୍ତ ଶିକ୍ଷକ-କର୍ମଚାରୀଙ୍କ ଅବସରକାଳୀନ ବକେୟା ପ୍ରାପ୍ୟ ଅଭିଯୋଗର ଶୁଣାଣି କରାଯାଇଥିଲା। ଉଦ୍‌ଘାଟନୀରେ ଜିଲାପାଳ ମନୋଜ ସତ୍ୟବାନ ମହାଜନ ୧୯ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନ୍‌ସନ ମଞ୍ଜୁର ଆଦେଶପତ୍ର ପ୍ରଦାନ କରିଥିଲେ। ୩ ଜିଲାର ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ଶୀଘ୍ର ସମାଧାନ ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପେନ୍‌ସନ ଓ ଭବିଷ୍ୟନିଧି ଉପ ମହାଲେଖାକାର ଶୁଭମ ବୈଦ୍ୟନାଥ ସ୍ବାମୀ ଯୋଗଦେଇଥିଲେ। ଅବସର ପୂର୍ବରୁ ଆବଶ୍ୟକ କାଗଜପତ୍ର ଏଜି କାର୍ଯ୍ୟାଳୟକୁ ପଠାଇଲେ ଅବସର ଦିନରେ ପେନ୍‌ସନ, ଗ୍ରାଚ୍ୟୁଟି ଓ ଭବିଷ୍ୟନିଧି ପ୍ରଦାନ ସମ୍ଭବ ହେବ ବୋଲି କହିଛନ୍ତି। ଏହି ଅଦାଲତରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରା ଉପାନ୍ତ ଜିଲାଗୁଡ଼ିକର ପେନ୍‌ସନ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରିଥିବା ସେ କହିଛନ୍ତି। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ କେଦାର ସିଂହ, ଅତିରିକ୍ତ ଜିଲାପାଳ ତପନ କୁମାର ନାୟକ, ମାଲକାନଗିରି ଅତିରିକ୍ତ ଜିଲାପାଳ ସୋମନାଥ ପ୍ରଧାନ, ଯୁଗ୍ମ ସଚିବ ଅସିତ କୁମାର ପାଣି, କୋରାପୁଟ ଉପଜିଲାପାଳ ପ୍ରେମଲାଲ ହିଲାଲ ଓ ବରିଷ୍ଠ ଲେଖା ଅଧିକାରୀ ଶରତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଜି କାର୍ଯ୍ୟାଳୟ ପକ୍ଷରୁ ପିପିଟି ମାଧ୍ୟମରେ ପେନ୍‌ସନ ଅଟକିବାର କାରଣ ଓ ସମାଧାନ ନେଇ ଆଲୋଚନା କରାଯାଇଛି। ଶୁକ୍ରବାର ୩ ଜିଲାର ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପାଇଁ ପେନ୍‌ସନ ଅଦାଲତ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମକୁ ବିଭାଗର ବରିଷ୍ଠ ଲେଖା ଅଧିକାରୀ ଅଭିଜିତ କୁମାର, ସହକାରୀ ଲେଖା ଅଧିକାରୀ ରବି କୁମାର ଓ ଅନ୍ୟମାନେ ରହି ପରିଚାଳନାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Share