ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି: ମାତ୍ର ୯୦ଟି ଅଭିଯୋଗରେ ସୀମିତ, ପ୍ରଚାର ଅଭାବ ନା ସମାଧାନ ଉପରୁ ତୁଟିଲାଣି ଭରସା

ଥୁଆମୂଳ ରାମପୁର, ୧୬।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ତଥା ଆଦିବାସୀ ବହୁଳ ଥୁଆମୂଳ ରାମପୁର ବ୍ଲକ ବୈଠକ ସଭା ଗୃହ ଠାରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୯୦ଟି ଅଭିଯୋଗପତ୍ର ଦାଖଲ ହୋଇଥିବାବେଳେ ସେଥିମଧ୍ୟରୁ ୫୦ଟି ବ୍ୟକ୍ତିଗତ, ୩୭ଟି ଗ୍ରାମାଞ୍ଚଳର ସମସ୍ୟା, ଗୋଟିଏ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଏବଂ ୨ଟି ରେଡକ୍ରସ ସହାୟତା ପାଇଁ ଆବେଦନ ରହିଥିଲା। ତେବେ ମାତ୍ର ୭ଟି ଅଭିଯୋଗର ଘଟଣାସ୍ଥଳରେ ସମାଧାନ କରାଯାଇପାରିଛି। ୨୪ଟି ପଞ୍ଚାୟତ ବିଶିଷ୍ଟ ଏହି ଦୁର୍ଗମ ଅଞ୍ଚଳରେ ମାତ୍ର ୯୦ଟି ଅଭିଯୋଗ ଆସିବା ଘଟଣା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଦୁର୍ଗମ ଥୁଆମୂଳ ରାମପୁରରେ କଣ ମାତ୍ର ୯୦ଟି ସମସ୍ୟା ଅଛି, ନା ବ୍ଲକ ପ୍ରଶାସନ ପକ୍ଷରୁ ସଠିକ ପ୍ରଚାର ପ୍ରସାର କରାଯାଇ ନଥିବାରୁ ଲୋକେ ଜାଣିପାରିଲେ ନାହିଁ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଜି ବି ବ୍ଲକର ଅନେକ ଗାଁକୁ ପକ୍କା ରାସ୍ତା ନ ଥିବାରୁ ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚିପାରୁନାହିଁ। ବ୍ଲକ ମୁଖ୍ୟାଳୟରେ ଷ୍ଟ୍ରିଟ ଲାଇଟ ନ ଥିବାବେଳେ ଜିଓ ମୋବାଇଲ ନେଟୱାର୍କ ମଧ୍ୟ ସ୍ଥାପନ ହୋଇ ନାହିଁ। ସେହିପରି ଅନେକ ଗ୍ରାମରେ ବିଦ୍ୟାଳୟ ଗୃହଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବାବେଳେ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ଅଯୋଗ୍ୟ ଦର୍ଶାଯାଇ ସରକାରୀ ଯୋଜନାରୁ ବଞ୍ଚିତ କରାଯାଉଥିବା ଅଭିଯୋଗ ହେଉଛି। ଏଭଳି ମୌଳିକ ସମସ୍ୟା ନେଇ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ ବର୍ଷ ବର୍ଷ ବିତିଯାଉଛି, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। କେବଳ କାଗଜପତ୍ରରେ ଏହି ଅଭିଯୋଗ ଶୁଣାଣି ସୀମିତ ରହୁଥିବା ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏହି ଶିବିରରେ ଜିଲ୍ଲାପାଳ ସଚିନ ପାୱାର, ଉପ-ଜିଲାପାଳ ଆଶ୍ୱିନୀ ଏ.ଏଲ., ସିଡିଓ ତଥା ଇଓ ସୌମ୍ୟ ରଞ୍ଜନ ପ୍ରଧାନ, ଦକ୍ଷିଣ ଡିଏଫଓ କଳୈବାନନ ଆର୍‌. (ଆଇଏଫଏସ), ଅତିରିକ୍ତ ଏସ.ପି. ତାରା ଜାସମିନ ଗୁରିଆ, ସଦର ଏସ.ଡି.ପି.ଓ. ନରେଶ କୁମାର ପ୍ରଧାନ, ବିଡିଓ ଧ୍ରୁବ ଚରଣ ମୁଦୁଲି, ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ସାଂସଦଙ୍କ ବ୍ଲକ ପ୍ରତିନିଧି ପବିତ୍ର ନାଏକ, ତହସିଲଦାର ସତ୍ୟସନାତନ ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ତପନ କୁମାର ପତି, ପ୍ରକଳ୍ପ ପ୍ରଶାସକ ଧର୍ମରାଜ ମାଝୀ, ଆଇ.ଆଇ.ସି. ପ୍ରଶାନ୍ତ କୋଲହରସ, ଆଇ.ଟି.ଡି.ଏ. ଯନ୍ତ୍ରୀ ଦେବେନ୍ଦ୍ର କୁମାର ମହାନନ୍ଦ ଏବଂ ଆର୍‌.ଡବ୍ଲୁ.ଏସ.ଏସ. ସହକାରୀ ଯନ୍ତ୍ରୀ ମନ୍ମଥ ମୁର୍ମୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କ ସୂଚନା ଅନୁଯାୟୀ, ଶିବିରରେ ଘର ଓ ଭତ୍ତା ଆବେଦନ ଅଧିକ ଥିବାବେଳେ ମୋବାଇଲ ଟାୱାର, ରାସ୍ତା ଓ ପାନୀୟ ଜଳ ସମସ୍ୟା ନେଇ ଅଳ୍ପ କିଛି ଅଭିଯୋଗ ଆସିଥିଲା। ଶିବିରରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସମାଧାନ ହେଉନଥିବା ନେଇ ହିତାଧିକାରୀମାନେ କ୍ଷୋଭ ପ୍ରକାଶ କରିଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ଏ ସମ୍ପର୍କରେ ଜିଲାପାଳଙ୍କ ପ୍ରତିକ୍ରିୟା ଲୋଡ଼ିଥିଲେ ମଧ୍ୟ ସେ କୌଣସି ଉତ୍ତର ନ ଦେଇ ସିଧାସଳଖ ମନା କରିଦେଇଥିଲେ ଏବଂ ତରବର ଭାବେ ସେଠାରୁ ଚାଲିଯାଇଥିଲେ, ଯାହାକୁ ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଉପ-ଜିଲାପାଳ କହିଛନ୍ତି ଯେ, ଆମେ ଆମ କାମ କରୁଛୁ ଏବଂ ଲୋକଙ୍କ ଯାହାବି ସମସ୍ୟା ରହୁଛି ତାହା ଧୀରେ ଧୀରେ ସମାଧାନ କରାଯିବ। ସେହିପରି ସାଂସଦଙ୍କ ବ୍ଲକ ପ୍ରତିନିଧି ପବିତ୍ର ନାଏକ କହିଛନ୍ତି ଯେ, ଲୋକଙ୍କ ସରକାର ସମୟରେ ସାଧାରଣ ଲୋକଙ୍କ ସବୁ କାମ କରାଯାଉଛି ଏବଂ ଯଦି କୌଣସି ଅଧିକାରୀ ଲୋକଙ୍କ ସମସ୍ୟା ନ ବୁଝନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଶାସନିକ ପ୍ରତିଶ୍ରୁତି ପରେ ବାସ୍ତବରେ ତୃଣମୂଳ ସ୍ତରରେ ସମସ୍ୟାର ସମାଧାନ କେବେ ହେଉଛି, ତାହାକୁ ଅପେକ୍ଷା କରିଛନ୍ତି ଜନସାଧାରଣ।

 

Share