୩ ମାସ ପରେ ବି କାର୍ଯ୍ୟକାରୀ ହେଲାନି ଜିଲାପାଳଙ୍କ ନିର୍ଦ୍ଦେଶ: ଜାଲ ପ୍ରମାଣପତ୍ରରେ ଉତ୍ତରାଧିକାରୀ ସାର୍ଟିଫିକେଟ ହାସଲ ଅଭିଯୋଗ

କଟକ ସଦର, ୨୮।୧୧ (ସୁଶାନ୍ତ କୁମାର ଜେନା): ଜାଲ ମୃତ୍ୟୁ ପ୍ରମାଣପତ୍ର ଓ ନକଲି ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ଆଧାରରେ ଉତ୍ତରାଧିକାରୀ ପ୍ରମାଣପତ୍ର ହାସଲ ଅଭିଯୋଗ। ଏହି ଘଟଣାର ତଦନ୍ତ ପାଇଁ କଟକ ଜିଲାପାଳଙ୍କ ନିର୍ଦ୍ଦେଶ ସତ୍ତ୍ୱେ ୩ ମାସ ବିତିଯାଇଥିଲେ ମଧ୍ୟ ତଦନ୍ତ ରିପୋର୍ଟ ଦାଖଲ ହୋଇ ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଉକ୍ତ ପ୍ରମାଣପତ୍ର ହାସଲ କରିଥିବା ବ୍ୟକ୍ତି ଅନ୍ୟ ଜଣଙ୍କ ଜମି ବିକ୍ରି ପାଇଁ ଉଦ୍ୟମ ଜାରି ରଖିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ୨୦୨୧ ମସିହା ମାର୍ଚ୍ଚ ମାସରେ କଟକ ସଦର ତହସିଲ ଅନ୍ତର୍ଗତ ବିରିବାଟି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ସୁପାରିଶ କ୍ରମେ କୁଶିଙ୍ଗା-୩ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଅଭିଯୋଗ ଅନୁସାରେ, ଜାଲ ମୃତ୍ୟୁ ପ୍ରମାଣପତ୍ର ଓ ନକଲି ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ରକୁ ଆଧାର କରି ତତ୍କାଳୀନ ରାଜସ୍ବ ନିରୀକ୍ଷକଙ୍କ ରିପୋର୍ଟ ଅନୁଯାୟୀ ଏହି ପ୍ରମାଣପତ୍ର ଜାରି କରାଯାଇଥିଲା।

ଏହି ଜାଲିଆତି ଘଟଣାର ତଦନ୍ତ ପାଇଁ ଜଣେ ଆବେଦନକାରୀ କଟକ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ଜିଲାପାଳଙ୍କ କାର୍ଯ୍ୟାଳୟର ପତ୍ର ସଂଖ୍ୟା ୪୪୯, ତାରିଖ ୨୫.୬.୨୦୨୬ ଅନୁଯାୟୀ ତଦନ୍ତ ଭାର କଟକ ସଦର ଉପଜିଲାପାଳଙ୍କୁ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଘଟଣାର ସରଜମିନ ତଦନ୍ତ ପାଇଁ କଟକ ସଦର ତହସିଲଦାରଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା।

ତେବେ ନିର୍ଦ୍ଦେଶ ଜାରି ହେବାର ପ୍ରାୟ ୩ ମାସ ପରେ ମଧ୍ୟ ତଦନ୍ତ ରିପୋର୍ଟ ଉପଜିଲାପାଳଙ୍କ ନିକଟରେ ଦାଖଲ ହୋଇନଥିବା ଅଭିଯୋଗ ହୋଇଛି। ପତ୍ର ସଂଖ୍ୟା ୧୯୩୦୨, ତାରିଖ ୧୯.୧୧.୨୦୨୬ ମାଧ୍ୟମରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣେ ସାମାଜିକ କର୍ମୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଉକ୍ତ ଉତ୍ତରାଧିକାରୀ ପ୍ରମାଣପତ୍ରରେ ସ୍ବାକ୍ଷର କରିଥିବା ତତ୍କାଳୀନ ଅତିରିକ୍ତ ତହସିଲଦାର ବର୍ତ୍ତମାନ ପଦୋନ୍ନତି ପାଇ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ସେହିପରି ତତ୍କାଳୀନ ରାଜସୱ ସୁପରଭାଇଜର ଅବସର ନେଇସାରିଥିବା ବେଳେ ସମ୍ପୃକ୍ତ ରାଜସ୍ବ ନିରୀକ୍ଷକ ସାଲେପୁର ତହସିଲକୁ ବଦଳି ହୋଇଯାଇଛନ୍ତି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଉକ୍ତ ପ୍ରମାଣପତ୍ର ହାସଲ କରିଥିବା ବ୍ୟକ୍ତି ଅନ୍ୟ ଜଣଙ୍କ ଜମି ବିକ୍ରି କରିବାକୁ ନିରନ୍ତର ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ପ୍ରକୃତ ଜମି ମାଲିକଙ୍କ ସ୍ବାର୍ଥ ଓ ସମ୍ପତ୍ତିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

ଏ ସମ୍ପର୍କରେ କଟକ ସଦର ତହସିଲଦାର ଦେବଦତ୍ତ ପ୍ରଧାନଙ୍କୁ ପଚରାଯିବାରୁ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରିଥିଲେ। ତେବେ ଜିଲାପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ତଦନ୍ତ ରିପୋର୍ଟ ଦାଖଲରେ ବିଳମ୍ବ କାହିଁକି ହେଉଛି ଏବଂ ଜାଲ ପ୍ରମାଣପତ୍ର ଅଭିଯୋଗରେ କେବେ କାର୍ଯ୍ୟାନୁଷ୍ଠାନ ହେବ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

 

Dharitri – Odisha’s No.1 Odia Daily

 

Share