ନୂଆପଡ଼ା,୨୦ା୫ (ମକାରୁ ବେମାଲ): ସ୍ଥାନୀୟ ସର୍କିଟ ହାଉସଠାରେ ଜିଲା ଆଦିବାସୀ କଲ୍ୟାଣ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାସଂଘ ରାଜ୍ୟ ସଂଯୋଜକ ଈଶ୍ୱର ଚନ୍ଦ୍ର ନାଏକ ଅଧ୍ୟକ୍ଷତା କରିଥିଲେ। ମହାସଂଘ ରାଜ୍ୟ ସଭାପତି ବାଳକୃଷ୍ଣ ଶବର, ସଂଘ ସଂରକ୍ଷକ ଖାମସିଂ ମାଝି, ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ହୋମସିଂ ମାଝି, ଉପାଧ୍ୟକ୍ଷା ବେଳମତୀ ମାଝି, ସମ୍ପାଦକ ଭକ୍ତବନ୍ଧୁ ଧରୁଆ, ଉପସଭାପତି କମଲେଶ ସିଂ ଠାକୁର ପ୍ରମୁଖ ଯୋଗଦେଇ ଆଦିବାସୀଙ୍କ ବିକାଶ ଉପରେ ଆଲୋଚନା କରିଥିଲେ। ଆଦିବାସୀ ମାରଣ ନୀତିକୁ ନେଇ ଆସନ୍ତା ୨୨ରେ ଆଦିବାସୀ କଲ୍ୟାଣ ସଂଘର ଜିଲା ସଭାପତି ଭାନୁ ପ୍ରତାପ ସିଂ ମାଝିଙ୍କ ନେତୃ୍ତ୍ୱରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘରାଉ କରିବା କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ କରିବା ପୂର୍ବରୁ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବା କଥା। ହେଲେ ସେଭଳି କରାଯାଇ ନାହିଁ। ଆଦିବାସୀ ସଂଘ ନାମରେ ବାହାର ଲୋକଙ୍କୁ ଆଣି ସଭାସମିତି କରାଯାଉଛି। ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉକୁ ଆଦିବାସୀ କଲ୍ୟାଣ ସଂଘ ସମର୍ଥନ ଦେବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ନୂତନ ଭାବରେ ଚୟନ ହୋଇଥିବା ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜଙ୍ଗଲ ଜମି ଅଧିକାର ଆଇନରେ ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଆଦର୍ଶ ବିଦ୍ୟାଳୟର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ର ବୃତ୍ତି ୧୨ ହଜାର ଟଙ୍କା ପ୍ରଦାନ, ପତୋରା ଅପରଜୋଙ୍କ ଜଳସେଚନ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ, ସରକାର ଆଦିବାସୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ପ୍ରତି ଦୃଷ୍ଟି ଦେବାକୁ ବୈଠକରେ ଦାବି କରାଯାଇଥିଲା। ଏହିସବୁ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ମଧୁସୂଦନ ଦାଶଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ସମୟରେ ନୂଆପଡା ବ୍ଲକ ସଭାପତି ପିତାମ୍ବର ମାଝି, ଖଡିଆଳ ବ୍ଲକ ସଭାପତି ଜଗତରାମ ଶବର, ସିନାପାଲି ବ୍ଲକ ସଭାପତି ଯଦୁନାଥ ମାଝି, ବୋଡେନ ବ୍ଲକ ସଭାପତି ଭୁବନେଶ୍ୱର ମାଝି, ଲୋହିତ ଶବର, ଲାଲଧର ଶବର, ନରୋତ୍ତମ ମାଝି, ପ୍ରଦୀପ ମାଝି, ଗୋବର୍ଦ୍ଧନ ମାଝି, ସୋମନାଥ ଶବର ପ୍ରମୁଖ ଉପସ୍ଥିତ ଥିଲେ ା