ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ ସମସ୍ୟା ନ ଶୁଣିଲେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସଚେତନ କରାଯାଉଛି। କିନ୍ତୁ ଯାଜପୁର ଜିଲାରେ ଏହାର ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳିଛି। ଚଳିତ ବନ୍ୟାରେ ଯାଜପୁର ଜିଲାର ୧୦ଟି ବ୍ଲକ୍ର ୪୦୫ଟି ଗ୍ରାମର ୪,୩୪,୬୩୨ ଲୋକ ପ୍ରଭାବିତ ହୋଇଛନ୍ତି, ଯେଉଁଥିରୁ ୯୯,୭୫୭ ଜଣ ସିଧାସଳଖ ପାଣି ଘେରରେ ରହିଥିଲେ। ଏହି ସଙ୍କଟଜନକ ସମୟରେ ବିପନ୍ନମାନଙ୍କ ଜରୁରୀ ସମସ୍ୟା ନେଇ ସଚେତନ ନାଗରିକମାନେ ଜିଲାପାଳଙ୍କ ମୋବାଇଲକୁ ଫୋନ କରିବାରୁ, ସେଥିରେ ପୂର୍ବରୁ ସେଟ ହୋଇଥିବା ଅଟୋମେଟେଡ୍ ସିଷ୍ଟମ୍ ମାଧ୍ୟମରେ ଇଂଲିଶରେ ନାମ ଓ ଫୋନ କରିବାର କାରଣ ପଚରାଯାଉଛି। ତେବେ ଗ୍ରାମାଞ୍ଚଳର ଲୋକେ ନିଜ ନାମ ଓ କାରଣ କହିବା ପରେ ବି ଜିଲାପାଳଙ୍କ ପକ୍ଷରୁ କଲ୍ ରିସିଭ୍ କିମ୍ବା କଲ୍ବ୍ୟାକ୍ କରାଯାଉନାହିଁ। ପଡ଼ୋଶୀ ଜିଲାପାଳମାନଙ୍କ ନମ୍ବରରେ ଏଭଳି ବ୍ୟବସ୍ଥା ନଥିବା ବେଳେ ଯାଜପୁର ଜିଲାପାଳଙ୍କ ମୋବାଇଲରେ ଏଭଳି କଟକଣା ଯୋଗୁ ସାଧାରଣ ଲୋକେ ନିଜର ଗୁରୁତର ସମସ୍ୟା ଜଣାଇବାରୁ ବଞ୍ଚିତ ହେଉଛନ୍ତି।
କେବଳ ଜିଲାପାଳ ନୁହନ୍ତି, ଜିଲାର ତହସିଲଦାର, ବିଡିଓ, ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, କୃଷି ଅଧିକାରୀ ପ୍ରଭୃତି ଅଜଣା ନମ୍ବରରୁ ଆସୁଥିବା ଫୋନ୍ କଲ୍ ଉଠାଉନାହାନ୍ତି। ଏନେଇ ବନ୍ୟାଞ୍ଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ (କ୍ରମିକ ସଂଖ୍ୟା-୬୯୩) ଏକ ଅଭିଯୋଗ ଦାଖଲ କରାଯାଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ ଫୋନ ରିସିଭ ହେଉ ନ ଥିବାରୁ ସାମାନ୍ୟ ସୂଚନା ବା ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ୁଛି, ଯଦ୍ଦ୍ବାରା ସମୟ, ଅର୍ଥ ଓ ପରିଶ୍ରମର ଅପଚୟ ହେଉଛି। ବିଭାଗୀୟ ଅଧିକାରୀ ବଦଳିଲେ ମୋବାଇଲ ନମ୍ବର ମଧ୍ୟ ବଦଳି ଯାଉଥିବାରୁ ନୂଆ ନମ୍ବର ପାଇବାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସମସ୍ତ ସରକାରୀ କାର୍ଯ୍ୟାଳୟର ଫୋନ୍ ନମ୍ବରଗୁଡ଼ିକୁ ଯାଞ୍ଚ କରି ଅପଡେଟ୍ କରିବା, ପ୍ରତ୍ୟେକ କଲ୍ ନିଶ୍ଚିତ ଭାବେ ରିସିଭ କରିବା ଏବଂ ଫୋନ୍ ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି। ଏହାଦ୍ୱାରା ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ସଫଳ ହେବା ସହ ତୃଣମୂଳ ସ୍ତରରେ ସମସ୍ୟାର ସମାଧାନ ହୋଇପାରିବ ଏବଂ ପ୍ରଶାସନ ଉପରେ ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି ପାଇବ। ସୂଚନାଯୋଗ୍ୟ, ଏ ସଂକ୍ରାନ୍ତରେ ଜିଲାପାଳ ଅମ୍ବର କୁମାର କରଙ୍କ ମତାମତ ନେବା ପାଇଁ ଶୁକ୍ରବାର ରାତି ୭ଟାରେ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ କଲ୍ ଗ୍ରହଣ କରି ନ ଥିଲେ।