ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଲାଗିଥିବା ଏକ ଅଚଳ ଶୌଚାଳୟ ସମ୍ଭୁଖରେ ଥିବା ତେତେଲ ଗଛ ତଳେ ବହୁ ଦିନରୁ ଗୁଡାମାରୀ ଆଡ୍ଡା କରି ସଟ୍ଟା ଖେଳ ଚାଲି ଥିବା ବେଳେ ଜିଲାପାଳ ସାହୁ ଅଚାନକ ସେଠାରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ସେଠାରେ ଦୁଇ ଜଣ ଯୁବକ ଥିବା ଓ ସଟ୍ଟାରେ ବ୍ୟବହାର ହେଉଥିବା କାଗଜ ପତ୍ର କଲମ ଦେଖି ଡୁଙ୍ଗୁରିପାଲି ପୋଲିସକୁ ଖବର ଦେଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ସଟ୍ଟା କେନ୍ଦ୍ରକୁ ପହଁଚି ଘଟଣା ସ୍ଥଳରୁ ଦୁଇ ଜଣ ଯୁବକଙ୍କୁ ପୋଲିସ ଥାନାକୁ ନେଇଥିଲେ। ଯୁବକ ଦୁଇ ଜଣ ହେଲେ ଡୁଙ୍ଗୁରିପାଲି ଶିବାନନ୍ଦ ପଡାର ତପନ ଦେବତା ଓ ଅନ୍ୟ ଯୁବକ ହେଲେ ଡୁଙ୍ଗୁରିପାଲି ବ୍ଲକ ଚୀନାଜୁରୀ ଗ୍ରାମର ଲୋକନାଥ ସୁନା। ଡୁଙ୍ଗୁରିପାଲି ପୋଲିସ ଉଭୟ ଦୁଇ ଯୁବକଙ୍କୁ ପଚରାଉଚରା କଲା ପରେ ସେଠାରେ ଆମେ ଛିଡା ହୋଇଥିଲୁ ଏବଂ ସଟ୍ଟା ଖେଳାଉ ଥିବା ମାଲିକ ଅନ୍ୟ ଜଣେ ସେ ହେଲେ ଡୁଙ୍ଗୁରିପାଲି ଗ୍ରାମର ମନବୋଧ ନାଏକ (୩୬) ବୋଲି କହିଥିଲେ। ଅନ୍ୟ ପକ୍ଷେ ପୋଲିସ ମନବୋଧ ନାଏକକୁ ଖୋଜି ଆଣି ଗିରଫ କରିବା ସହ ୨୭୯୦ ଟଙ୍କା ପୋଲିସ ଜବତ କରିଛି। କେଶ ନମ୍ବର -୧୮୮/୨୬,ଅଣ୍ଡର ସେକସନ ୩୧୮(୪)/୪&୫ ପିସିଏମସି ଆକ୍ଟରେ ପୋଲିସ ମନବୋଧକୁ କୋର୍ଟ ଚାଲାଣ କରିଥିଲା। ଜାମିନ ନା ମଂଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇଥିବା ଥାନା ଅଧିକାରୀ ରୋଜାଲିନ ପଟେଲ କହିଛନ୍ତି। ଅନ୍ୟ ପକ୍ଷେ ଦୀର୍ଘ ଦିନ ହେବ ସେଠାରେ ସଟ୍ଟା ଖେଳ ପୋଲିସର ଜ୍ଞାତସାରରେ ଚାଲିଥିବା କୁହାଯାଉଥିବା ବେଳେ ଜିଲାପାଳ ଡ଼ ନୃପରାଜ ସାହୁଙ୍କ ଚଢ଼ାଉ ପରେ ସଟ୍ଟା ଖେଳ ବନ୍ଧ ହେବ ନା ଚାଲୁ ରହିବ ତାହା ଦେଖିବା ବାକି ରହିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Dharitri – Odisha’s No.1, Most Trusted Odia Daily

Share