ଦୁଇ ଓସିଏସ୍‌ଙ୍କୁ ସମ୍ମାନିତ କଲେ ଜିଲାପାଳ, କହିଲେ ସମସ୍ତ ପ୍ରକାରର ଲୋକଙ୍କୁ କିପରି…

କେସିଙ୍ଗା,୧୫ା୬(ତୁମେଶ୍ୱର ସାହୁ): ଓଡ଼ିଶା ପ୍ରଶାସନିକ ସେବାର ଫଳାଫଳ ପ୍ରକାଶିତ ପରେ ଉତ୍ତୀର୍ଣ୍ଣ ହୋଇଥିବା କଳାହାଣ୍ଡି ଜିଲାର କେସିଙ୍ଗା ସହରର ଚତୁର୍ଥ ସ୍ଥାନରେ ଥିବା କନକ ଜୈନ ଏବଂ ୧୧୩ ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା ସଙ୍ଗୀତା ସେଠୀଙ୍କୁ ରବିବାର କେସିଙ୍ଗା ସିଟିଜନ ଫୋରମ ପକ୍ଷରୁ ସମ୍ମାନିତ କରାଯାଇ ଦୁହିଁଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା। ଏନେଇ କେସିଙ୍ଗା ଜଗନ୍ନାଥ ମନ୍ଦିର ପରିସରରେ ଥିବା ମୁଖ୍ୟମନ୍ତ୍ରୀ ସଭାଗୃହରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଦୁଇ ଓସିଏସ୍‌ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଫୋରମ ସଭାପତି ଡାକ୍ତର ହେମସାଗର ସାହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲାପାଳ ପାଓ୍ବାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୁଇ ଜଣଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରେମାନିଧି ସେଠ, ବିଡିଓ ଜନ୍ମେଜୟ ସ୍ବାଇଁ ପ୍ରମୁଖ ମଞ୍ଚାସୀନ ଥିଲେ। ଫୋରମ ସଭାପତି ଓ ମୁଖ୍ୟ ଅତିଥି ଜିଲାପାଳ ନିଜ ଅଭିଭାଷଣରେ ଦୁଇ ଜଣ ନବାଗତ ଓସିଏସ ଅଧିକାରୀଙ୍କୁ ଗରିବଠାରୁ ସମସ୍ତ ପ୍ରକାରର ଲୋକଙ୍କୁ ସେବା ଓ ଶେଷ ପାହାଚରେ ଥିବା ଗରିବ ପାଖକୁ କେମିତି ସରକାରୀ ସହାୟତା ପହଞ୍ଚିବ ସେହି ବିଷୟରେ ଧ୍ୟାନ ଦେଇ ଆଗକୁ ବଢିବା ପାଇଁ ଆଲୋକପାତ କରିଥିଲେ॥ ଫୋରମ ସମ୍ପାଦକ, ଉପସଭାପତି ସମେତ ଫୋରମ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଫୋରମ ସମ୍ପାଦକ ବି.ଚନ୍ଦ୍ରଶେଖର ଆଚାରି ପରିଚାଳନା କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଫୋରମ କୋଷାଧ୍ୟକ୍ଷ ରଞ୍ଜନ କୁମାର ପଣ୍ଡା।

Dharitri – Odisha’s No.1 Odia Daily

Share