ମୟୂରଭଞ୍ଜରେ ପ୍ରବଳ ବର୍ଷା, ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଜିଲାର ବଡ଼ସାହି, ବେତନଟୀ, ବିଶୋଇ ଓ କୁଳିଅଣା ବ୍ଲକରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକୁ ଜିଲାପାଳ ହେମକାନ୍ତ ସୟ ଛୁଟି ଘୋଷଣା କରିଛନ୍ତି । ଏହା ସହିତ ଆଶ୍ରୟସ୍ଥଳୀ ପାଇଁ ୩୮ ପ୍ରଧାନଶିକ୍ଷକଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ସୂଚନାଯୋଗ୍ଯ, ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲାପାଳ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଜିଲାର ବାଙ୍ଗରିପୋଷି, ସାରସକଣା, ବିଶୋଇ ଓ ରାଇରଙ୍ଗପୁର ବ୍ଲକ ଓ ଶିମିଳିପାଳରେ ଅତି ପ୍ରବଳ ବର୍ଷା ହୋଇଥିବାରୁ ବୁଢାବଳଙ୍ଗ, କାତରା, ଗଙ୍ଗାହାର ନଦୀରେ ଜଳସ୍ତର ବୃଦ୍ଧିପାଇ କୂଳ ଲଂଘନ କରିଛି । ମଙ୍ଗଳବାର ସକାଳ ୧୦ଟା ସୁଦ୍ଧା ବାରିପଦା ମଧୁବନ ଠାରେ ବୁଢାବଳଙ୍ଗ ନଦୀରର ଜଳସ୍ତର ବିପଦ ସଙ୍କେତ ପାର କରିଛି । ଫଳରେ ତଳିଆ ଅଂଚଳ ଗୁଡିକରେ ବନ୍ଯା ପରିସ୍ଥିତି ଗମ୍ଭୀର ହୋଇପଡିଛି । ମାଣତ୍ରୀ-ବୈଶିଙ୍ଗା ରାସ୍ତାର ନାଖରା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏହାସହ ବେଲପାଳ ଓ ଘୁଷୁରିଆ ଠାରେ ପାଣି ଚାଲିବାରୁ ବଡ଼ସାହି-ବେତନଟୀ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଯାହାକୁ ନେଇ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବଡ଼ସାହି, ବେତନଟୀ, ବିଶୋଇ ଏବଂ କୁଳିଅଣା ବ୍ଲକ ଅଧୀନସ୍ଥ ସମସ୍ତ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ସ୍ଥଗିତ ରଖାଯାଇଛି ।

ସେପ୍ଟେମ୍ବର ୧ ତାରିଖ ମଙ୍ଗଳବାର ଦିନ ଏହି ବ୍ଲକଗୁଡ଼ିକର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ତଥା ଉଚ୍ଚ ମାଧ୍ୟମିକ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନରେ ଶ୍ରେଣୀଗୃହ ଶିକ୍ଷାଦାନ ବନ୍ଦ ରହିବ । ଅନ୍ୟପକ୍ଷରେ ରାଇରଙ୍ଗପୁର ଉପଖଣ୍ଡରେ ପରିସ୍ଥିତି ଅନୁସାରେ ସ୍କୁଲ ଛୁଟି ସମ୍ପର୍କରେ ନିଷ୍ପତ୍ତି ନେବାକୁ ସମ୍ପୃକ୍ତ ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କୁ କ୍ଷମତା ଦିଆଯାଇଛି ।
ତେବେ ଛାତ୍ରୀଛାତ୍ରଙ୍କ ପାଇଁ ଛୁଟି ଥିଲେ ମଧ୍ୟ ସମସ୍ତ ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀମାନେ ବାଧ୍ୟତାମୂଳକ ଭାବେ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ପ୍ରଶାସନ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି। ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତିରେ ବିଦ୍ୟାଳୟ କୋଠାଗୁଡ଼ିକୁ ଅସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବାକୁ ଥିବାରୁ ବଡ଼ସାହି ବ୍ଲକର ୩୮ଟି ନିର୍ଦ୍ଦିଷ୍ଟ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ସମ୍ପୂର୍ଣ୍ଣ ସଜାଗ ଓ ସତର୍କ ରହିବାକୁ କୁହାଯାଇଛି। ଏଥିସହ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ନୋଡାଲ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇ ରିଲିଫ୍, ଥଇଥାନ ଓ ପାନୀୟ ଜଳ ବ୍ୟବସ୍ଥା ତଦାରଖ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟପଟେ ଜିଲାରେ ବନ୍ୟା ପରିସ୍ଥିତି କ୍ରମଶଃ ଗମ୍ଭୀର ହେବାରେ ଲାଗିଛି ।

 

Dharitri – Odisha’s No.1 Odia Daily

Share
Tags: school close