ପ୍ରହସନ ପାଲଟିଲାଣି ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି: ଲୋକେ ଅସନ୍ତୋଷ

କେସିଙ୍ଗା,୨୦।୭:(ତୁମେଶ୍ୱର ସାହୁ): ସାଧାରଣ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାର ଲୋକଙ୍କ ପାଖରେ ଯୁଗ୍ମ ଅଭିଯୋଗ ଶୁଣାଣି ବ୍ୟବସ୍ଥା କରିଛନ୍ତି। ତେବେ ପ୍ରଶାସନିକସ୍ତରରେ ସ୍ଥାଣୁତା ଓ ବିଳମ୍ବ ଯୋଗୁ ଏହାର ଉଦ୍ଦେଶ୍ୟ ସଫଳ ହେଉ ନ ଥିବାରୁ ଏହା ପ୍ରହସନ ପାଲଟିଛି ବୋଲି ଶୁଣାଣିକୁ ଆସିଥିବା ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୋମବାର କେସିଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଜିଲାପାଳ ପହଞ୍ଚି ବିଡିଓଙ୍କ ଚାମ୍ବରରେ କିଛି ସମୟ ବସି କର୍ଲାମୁଣ୍ଡା ବ୍ଲକ୍‌କୁ ଚାଲିଯାଇଥିଲେ। ଯୁଗ୍ମ ଅଭିଯୋଗ ଶୁଣାଣି ବୋଲି କୁହାଯାଉଥିଲେ ବି ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଉପସ୍ଥିତ ନ ଥିଲେ। ପରବର୍ତ୍ତୀ ସମୟରେ ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳ ପହଞ୍ଚି ଅଭିଯୋଗ ଶୁଣାଣି କରିଥିଲେ। ଜିଲାପାଳ ଯିବା ପରେ କିଛି ବିଭାଗୀୟ ଅଧିକାରୀ ଛୁ’ ମାରିଥିଲେ। ଅନେକ ଜିଲାସ୍ତରୀୟ ଅଧିକାରୀ ବିଳମ୍ବରେ ପହଞ୍ଚିଥିବାବେଳେ କିଛି ବିଭାଗ ପକ୍ଷରୁ ବରିଷ୍ଠ ଅଧିକାରୀଙ୍କ ପରିବର୍ତ୍ତେ କନିଷ୍ଠ ଅଧିକାରୀଙ୍କୁ ପଠାଯାଇଥିବା ଦେଖିବାକୁ ମିଳିଥିଲା।
ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ବ୍ଲକ ଓ ପଞ୍ଚାୟତ ସ୍ତରରେ ସମସ୍ୟାର ସମାଧାନ ନ ହେବାରୁ ସେମାନେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣିକୁ ଆସିଥିଲେ। କିନ୍ତୁ ଏଠାରେ ମଧ୍ୟ ସେମାନଙ୍କ ଅଭିଯୋଗକୁ ସମ୍ପୃକ୍ତ ବିଭାଗର ସେହି ଅଧିକାରୀଙ୍କ ନିକଟକୁ ପୁଣିଥରେ ପଠାଯାଉଥିବାରୁ ସମସ୍ୟାର ପ୍ରକୃତ ସମାଧାନ ହେବ କିପରି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ସେହିଭଳି ଯୁଗ୍ମ ଅଭିଯୋଗ ଶୁଣାଣୀର ଫଳପ୍ରଦତା କମିଯାଇଥିବା ଏବଂ ଏହାର ପ୍ରଚାର ପ୍ରସାର ଯଥେଷ୍ଟ ନ ହେବାରୁ ସାଧାରଣ ଲୋକଙ୍କ ଉପସ୍ଥିତି ମଧ୍ୟ କମିଥିବା ନେଇ ଅନେକ ଅଭିଯୋଗକାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share