ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ସମଲେଶ୍ଵରୀ ଉଚ୍ଚ ବିଦ୍ୟାଳୟ, ଅମ୍ବାପାଲିଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ। ଜିଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ଜିଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନ(ଡିଆଇଇଟି)ର ଅଧ୍ୟକ୍ଷ ରଜନୀକାନ୍ତ ଦାଶ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ, ଅମୃତା ସାହୁ,ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସାହୁ , କାଉନସିଲର ଦୀପାଞ୍ଜଲି ବାଗ, ପ୍ରଧାନଶିକ୍ଷକ ସର୍ବେଶ୍ଵର ରଥ, ଅମ୍ବାପାଲି ହାଇସ୍କୁଲ ଆଲୁମିନି ସଭାପତି ସୁରେଶ ମହାପାତ୍ର ଯୋଗ ଦେଇଥିଲେ।
ବରଗଡ଼ ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ସମସ୍ଥଙ୍କୁ ସ୍ବାଗତ ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅତିଥିବୃନ୍ଦ ନୂତନଭାବେ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କୁ ଖଡି ଛୁଆଁଇ ଥିଲେ ଓ ଶିକ୍ଷଣ ଉପକରଣ ବଣ୍ଟନ କରିଥିଲେ । ସେହିପରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶିକ୍ଷା ସଚେତନତା ରଥକୁ ଜିଲାପାଳ ଗୋୟଲ ଏବଂ ଅତିଥିବୃନ୍ଦ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲା ଶିକ୍ଷା ଅଧିକାରୀ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ସମେତ ବରଗଡ଼ ବ୍ଲକର ସମସ୍ତ ସିଆରସିସିମାନେ ଉପସ୍ଥିତ ରହି ଛାତ୍ରୀଛାତ୍ର, ଅଭିଭାବିକା, ଅଭିଭାବକମାନଙ୍କୁ ନିପୁଣ ଓଡ଼ିଶା ବିଷୟ ଓ ଶିକ୍ଷା ସଚେତନତା ଉପରେ ଅବଧାରଣା କରିଥିଲେ। ଏହି ଅବସରରେ ୫୦ରୁ ଊର୍ଦ୍ଧ୍ବ ଛାତ୍ରୀଛାତ୍ର ସାମୁହିକଭାବେ ଖଡ଼ି ଛୁଇଁଥିଲେ। ଗୋବିନ୍ଦ ସେଠ୍ ସଭା ପରିଚାଳନା ଏବଂ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ।

