ସୁନ୍ଦରଗଡରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି) ସୁନ୍ଦରଗଡରେ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସ୍ଥାନୀୟ ଶଙ୍କରା ସ୍ଥିତ ରିଜର୍ଭ ପୋଲିସ ପଡିଆରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ରାଜ୍ୟ ଯୋଜନା ଏବଂ ସଯୋଜନ ବିଭାଗର ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଆତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ଼ରେ ଅଭିଭବାଦନ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ସ୍ବାଧୀନତା ଆନ୍ଦୋଳନରେ ସଂଗ୍ରାମୀ ବରପୁତ୍ରମାନଙ୍କ ଅବଦାନ ସ୍ମରଣ କରିବାସହ ରାଜ୍ୟ ତଥା ଦେଶର ପ୍ରଗତିରେ ସମସ୍ତଙ୍କ ସହଭାଗୀତା ପାଇଁ ଆହ୍ବାନ କରିଥିଲେ। ଏଥିସହିତ ରାଜ୍ୟ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ। ଏହି ସମାରୋହରେ ବିଭିନ୍ନ ଶିକ୍ଷାନୁଷ୍ଠାନର ୩୧ଗୋଟି ଦଳ ଭାଗ ନେଇଥିଲେ। ଆୟୋଜିତ ପ୍ୟାରେଡ଼ରେ ଏନସିସି ସ୍ତରରେ ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ଚମ୍ପିଆନ ହୋଇଥିଲା ବେଳେ ସୁନ୍ଦରଗଡ ପବ୍ଲିକ ସ୍କୁଲ ଦ୍ବିତୀୟ, ସିଭିଲିଆନ ସ୍ତରରେ ସେଣ୍ଟ ଟେରେସା ସ୍କୁଲ ବାଳକ ଦଳ ଚମ୍ପିୟାନ ଓ ଗୁରୁକୂଳ କଲେଜ ଦ୍ବିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଏହି ଅବସରରେ ମନ୍ତ୍ରୀ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ, ଜିଲାପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ଜିଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନଙ୍କ ସମେତ ବହୁ ଜିଲାସ୍ତରୀୟ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ରିଜର୍ଭ ଇନସପେକ୍ଟର ଲୋକନାଥ ଭୋଇ ପ୍ୟାରେଡ଼ ପରିଚାଳନା କରିଥିଲେ। ଡାକ୍ତର ଅନନ୍ତ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଧନ୍ୟବାଦ ଅର୍ପଣ କରିଥିଲେ।