ଟିକେଟ୍‌ ପାଇଁ ରାଜ୍ୟ ପ୍ରଭାରୀଙ୍କ ଅର୍ଥ ଦାବି: ଶରତଙ୍କ ଅଭିଯୋଗକୁ ଜିଲା କଂଗ୍ରେସ କମିଟିର ଖଣ୍ଡନ

ମାଲକାନଗିରି,୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଟିକେଟ୍‌ ପାଇଁ ଶରତ ବୁରୁଦା ଆଶାୟୀ ଥିଲା ବେଳେ ଭୁବନେଶ୍ୱରଠାରେ ଏକ ଘରୋଇ ହୋଟେଲରେ ରାଜ୍ୟ ପ୍ରଭାରୀ ଅଜୟ କୁମାର ଶରତଙ୍କୁ ଟିକେଟ୍‌ ଦେବା ପାଇଁ ୪୦ ଲକ୍ଷ ଟଙ୍କା ମାଗିଥିବା ଘଟଣାକୁ ନେଇ ଏକ ପତ୍ର ମାଧ୍ୟମରେ ଜିଲା ସଭାପତିଙ୍କୁ ଲିଖିତ ଭାବେ ଶରତ ଜଣାଇବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ସୂଚନା ଦେଇଥିଲେ। ବୁଧବାର ଏହାକୁ ଜିଲା ସଭାପତି ଗୋବିନ୍ଦ ପାତ୍ର ଏକ ଖବରଦାତା ସମ୍ମିଳନୀରେ ଖଣ୍ଡନ କରିବା ସହ ଶରତଙ୍କ ଏପରି ମିଥ୍ୟା ଖବର ଆଦୌ ଗ୍ରହଣୀୟ ନୁହେଁ । ଯେଉଁମାନେ ଦଳୀୟ ଟିକଟ ପାଇବେ, ସେଥିପାଇଁ ୪ ମାସ ପୂର୍ବରୁ ପ୍ରତି ଓ୍ବାର୍ଡ, ପଞ୍ଚାୟତ, ଜିଲାସ୍ତରରେ କେନ୍ଦ୍ର ତରଫରୁ ସର୍ଭେ କରାଯାଇଥିଲା। ତିନୋଟି ପର୍ଯ୍ୟାୟରେ ଏହି ସର୍ଭେ ରିପୋର୍ଟକୁ ଆଧାରକରି ଜାତୀୟ ଏବଂ ରାଜ୍ୟ ନେତୃବୃନ୍ଦ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ମଙ୍ଗୁ ଖିଲଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଶରତ ଟିକେଟ୍‌ ନ ପାଇବାରୁ ଏପରି ଏକ ମିଥ୍ୟା ଅଭିଯୋଗ କରିବା ଦଳର ସମ୍ମାନ ଉପରେ ଆଞ୍ଚ ଆସିଛି। କଂଗ୍ରେସର ସମସ୍ତ କର୍ମୀ ଓ କର୍ମକର୍ତ୍ତାମାନେ ଏହାକୁ ନିନ୍ଦା କରିବା ସହ ଏପରି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିିହୀନ ବୋଲି କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ବିଧାୟକ ପ୍ରାର୍ଥୀ ମଙ୍ଗୁ ଖିଲ, ମାଲକାନଗିରି ପୌର ପରିଷଦ ଦଳୀୟ ସଭାପତି ଜି. ଶ୍ରୀନିବାସ ରାଓ, ପି. କେଶୁ, ପ୍ରାଣକୃଷ୍ଣ ମଣ୍ଡଳ, ପର୍ଶୁରାମ ଭକ୍ତ ଓ ଇସାକ ଖୋସଲା ପ୍ରମୁଖ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।