ଜିଲାପାଳଙ୍କ ବାତ୍ୟା ବାତ୍ୟା ସମୀକ୍ଷା: ରାଶନ କାର୍ଡ ନ ଥିଲେ ବି ମିଳିବ ରିଲିଫ ସହାୟତା

ଛତ୍ରପୁର,୨୧।୧୧(ଦିଲ୍ଲୀପି ସାମଲ): ବାତ୍ୟା ‘ଅକ୍ୱାନ’ର ବିପଦ ଟଳିବା ପରେ ଏବେ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟକୁ ଗଞ୍ଜାମ ଜିଲା ପ୍ରଶାସନ ପ୍ରାଥମିକତା ଦେଇଛି। ଏନେଇ ଶନିବାର ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଛତ୍ରପୁରସ୍ଥିତ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ସମସ୍ତ ବିଭାଗୀୟ ଅଧିକାରୀ, ବିଡିଓ, ତହସିଲଦାର ଓ କ୍ଷେତ୍ର ଅଧିକାରୀମାନେ ଯୋଗଦେଇଥିଲେ। ବାତ୍ୟାର ସଫଳ ମୁକାବିଲା ପାଇଁ ‘ଟିମ୍‌ ଗଞ୍ଜାମ’ର ମିଳିତ ଉଦ୍ୟମକୁ ଜିଲାପାଳ ପ୍ରଶଂସା କରିଥିଲେ।

ଜିଲା ପ୍ରଶାସନ, ଜନସାଧାରଣ, ଗଣମାଧ୍ୟମ ପ୍ରତିନିଧି ଓ ଜନପ୍ରତିନିଧିଙ୍କ ସମନ୍ବିତ ସହଯୋଗ ଯୋଗୁ୍‌ ବାତ୍ୟାର ସଫଳ ମୁକାବିଲା ସମ୍ଭବ ହୋଇଥିବା କହି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ବୈଠକରେ ଜିଲାର ବିଭିନ୍ନ ଅଞ୍ଚଳର ବନ୍ୟା ପରିସ୍ଥିତି, ଚାଷଜମିର କ୍ଷୟକ୍ଷତି ଏବଂ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଜିଲାର କେତେକ ସ୍ଥାନରେ ଚାଷଜମି ଏବେ ମଧ୍ୟ ଜଳମଗ୍ନ ରହିଥିବାରୁ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷେ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ସ୍ବତନ୍ତ୍ର ରିଲିଫ ପ୍ୟାକେଜ ବଣ୍ଟନ କାର୍ଯ୍ୟ ଜିଲାରେ ଜୋରସୋରରେ ଚାଲିଛି। ଇତିମଧ୍ୟରେ ୫୦ ପ୍ରତିଶତରୁ ଅଧିକ ପରିବାରଙ୍କ ନିକଟରେ ଚାଉଳ ଓ ରିଲିଫ ସହାୟତା ପହଞ୍ଚି ସାରିଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ଅବଶିଷ୍ଟ ସମସ୍ତ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବାକୁ ଜିଲାପାଳ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ରାଶନ କାର୍ଡ ନଥିବା ପରିବାରଗୁଡ଼ିକୁ ମଧ୍ୟ ରିଲିଫ ସହାୟତା ଯୋଗାଇଦେବା ପାଇଁ ସ୍ବତନ୍ତ୍ର ସର୍ଭେ ଶେଷ ହୋଇଛି। ସର୍ଭେରେ ଚିହ୍ନଟ ହୋଇଥିବା ପରିବାରଙ୍କ ନାମ ସହାୟତା ତାଲିକାରେ ସାମିଲ କରାଯାଉଥିବା ବୈଠକରେ ସୂଚନା ଦିଆଯାଇଥିଲା।
ବୈଠକରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଅତିରିକ୍ତ ଜିଲାପାଳ ଦେବଦତ୍ତ ପଣ୍ଡାଙ୍କ ସମେତ ବିଭିନ୍ନ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Share