ଗଜପତିରେ ଧାନମଣ୍ଡିର ଶୁଭାରମ୍ଭ କଲେ ଜିଲାପାଳ

ପାରଳାଖେମୁଣ୍ଡି,୩୦ା୧୨(ଡି.ଏନ୍‌.ଏ.): ଗଜପତି ଜିଲାରେ ଶୁକ୍ରବାର ଆନୁଷ୍ଠାନିକ ଭାବେ ଚାଷୀଙ୍କ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲାଯାଇଛି। ନିୟନ୍ତ୍ରିତ ବଜାର କମିଟି ପଡ଼ିଆରେ ଚାଷୀଙ୍କୁ ନେଇ ଆୟୋଜିତ ସଭାରେ ଜିଲାପାଳ ଲିଙ୍ଗରାଜ ପଣ୍ଡା ଧାନମଣ୍ଡିର ଶୁଭାରମ୍ଭ କରିଛନ୍ତି। ଚଳିତ ଥର ଜିଲାରୁ ୪ଲକ୍ଷ ୮୦ହଜାର ମେଟ୍ରିକ ଟନ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିନିମନ୍ତେ ପୂର୍ବରୁ ସାଟେଲାଇଟ ସର୍ଭେ ଦ୍ୱାରା ଜିଲାର ୧୪ହଜାର ଚାଷୀଙ୍କ ଜମି ଚିହ୍ନଟ କରାଯାଇଛି । ଧାନ ସଂଗ୍ରହ ପାଇଁ ୪୫ଟି ପ୍ୟାକ୍ସ,୨୩ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଚୟନ କରାଯାଇଛି । ଚାଷୀଙ୍କୁ ଉଭୟ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ପ୍ରଚାରପତ୍ର ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ମଣ୍ଡି ସମ୍ପର୍କରେ ସଚେତନ କରାଯାଉଛି। ଚାଷୀମାନେ ନିଜ ନିଜ ଅଞ୍ଚଳର ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି। ଉଦ୍‌ଘାଟନୀ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲା ପରିଷଦ ରୋମାଞ୍ଚଳ ଖମାରୀ, ଚାଷୀ ନେତା ତିରୁପତି ପାଣିଗ୍ରାହୀ, ଜିଲା କୃଷକ ସଙ୍ଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।