କୁରଡୋକୋଟ ଜଳପ୍ରପାତର ଉନ୍ନତିକରଣ ନେଇ ଡିଏଫ୍‌ଓଙ୍କୁ ଭେଟିଲା ଜିଲା ନାଗରିକ କମିଟି

ଦେବଗଡ଼,୨୫ା୮(ଶଶାଙ୍କ ଶେଖର ଝାଙ୍କର): କୁରଡୋକୋଟ ଜଳ ପ୍ରପାତ ଦେବଗଡ଼ ଜିଲା ପାଇଁ ଭଗବାନଙ୍କ ଏକ ଆଶୀର୍ବାଦ। ଏଠାରୁ ଏସିଆର ଦ୍ୱିତୀୟ ହାଇଡ୍ରୋ ବିଦ୍ୟୁତ୍‌ ଉତ୍ପନ୍ନ ହେଉଥିଲା। ଉକ୍ତ ବିଦ୍ୟୁତ୍‌ ପ୍ରକଳ୍ପ ୨୦୧୬ରେ ଶତବାର୍ଷିକୀ ପାଳନ କରାଯାଇଥିଲା। ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ନିମନ୍ତେ ଏହାର ଉନ୍ନତିକରଣ ଜରୁରୀ। ଏହାକୁ ଉପଲବ୍ଧି କରି ଜିଲା ନାଗରିକ କମିଟି, ଦେବଗଡ଼ ଜିଲା ଶୁକ୍ରବାର ଡିଏଫ୍‌ଓ ମଗର ଧାନାଜୀ ରାଓସୋଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ପର୍ଯ୍ୟଟକମାନଙ୍କ ରହଣି ପାଇଁ ଗୃହ, ରୋଷେଇ ଗୃହ, ଆଲୋକୀକରଣ, ରାସ୍ତା ନିର୍ମାଣ ଆଦି ଦାବି କରିଛନ୍ତି। ହାଇଡ୍ରୋ ବିଦ୍ୟୁତ୍‌ ଉତ୍ପାଦନର ସ୍ମାରକୀ ପାଇଁ ଏକ ମଡେଲ ଓ ଓ୍ବାଚ୍‌ ଟାଓ୍ବାର ନିର୍ମାଣ ପାଇଁ ମଧ୍ୟ ଦାବି କରାଯାଇଛି। ଏହା ବାଦ୍‌ ପ୍ରଧାନପଟେଶ୍ୱରୀଙ୍କ ବିଜେସ୍ଥଳୀର ଉନ୍ନତିକରଣ ପାଇଁ ଦାବି କରାଯାଇଛି। ସର୍ବୋପରି ମାଙ୍କଡ଼ ଉପଦ୍ରବକୁ ହ୍ରାସ କରିବା ନିମନ୍ତେ ଜଙ୍ଗଲ ବିଭାଗ ପଦକ୍ଷେପ ନେବା ପାଇଁ କୁହାଯାଇଛି। କୁରଡୋକୋଟ ଜଳ ପ୍ରପାତର ଜଳକୁ ଯଥାଶୀଘ୍ର ନୂତନ ଭାବେ ନିର୍ମାଣ ହେଉଥିବା, ଜିଲା ଡାକ୍ତରଖାନା ତଥା ସହରକୁ ଜଳଯୋଗାଣ ପାଇଁ ସହଯୋଗ କରିବାକୁ ଦାବି କରାଯାଇଛି। ଏସବୁ ଶୁଣିବା ପରେ ଡିଏଫ୍‌ଓ ସକାରାତ୍ମକ ଉତ୍ତର ରଖିଥିଲେ। କୁରଡୋକୋଟର ଉନ୍ନତି ପାଇଁ ପର୍ଯ୍ୟଟନ ବିଭାଗ ସହଯୋଗରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ, ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପ୍ରେରିତ କରାଯିବ ବୋଲି ଡିଏଫ୍‌ଓ ପ୍ରତିନିଧି ଦଳଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଓ ମାଙ୍କଡ଼ ଉପଦ୍ରବ ରୋକିବା ନିମନ୍ତେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଏଫ୍‌ଓ କହିଛନ୍ତି। ଏହି ପ୍ରତିନିଧି ଦଳରେ କମିଟି ସଭାପତି ସୁଶୀଲ କୁମାର କପରଦାର, ଉପନଗରପାଳ ପ୍ରଜିତ ଭୋଜ, ଶଶାଙ୍କ ଶେଖର ଝାଙ୍କର, ଟିକେଶ୍ୱର ଗୁରୁ, ଲକ୍ଷ୍ମଣ ପ୍ରଧାନ, ସୁଧୀର କପରଦାର, କୋମଲ ଗୁପ୍ତା, ନରୋତ୍ତମ ସାହୁ, ସୁଶୀଲ କର, ଜନ୍ମେଜୟ ନାୟକ, ଈଶ୍ୱର ପ୍ରସାଦ ଦାସ ଓ ଶ୍ରବଣ କୁମାର ନାୟକ ପ୍ରମୁଖ ଯାଇଥିଲେ।