Categories: ଜାତୀୟ

ଜିଲା ଅଧ୍ୟକ୍ଷ ବୈଠକ ଡକାଇଲେ ଉଦ୍ଧବ: ବିଧାନସଭା କାର୍ଯ୍ୟାଳୟକୁ ଦଖଲ କଲେ ଶିନ୍ଦେ ଗୋଷ୍ଠୀ

ମୁମ୍ବାଇ,୨୦।୨: ମହାରାଷ୍ଟ୍ର ବର୍ତ୍ତମାନ ରାଜନୈତିକ ଅଶାନ୍ତି ଦେଖାଦେଇଛି। ଇତିମଧ୍ୟରେ ସୋମବାର ଉଦ୍ଧବ ଠାକରେ  ଜିଲା ଅଧ୍ୟକ୍ଷଙ୍କ ଏକ ବୈଠକ ଡକାଇଥିଲେ। ଏହି ବୈଠକରେ ଉଦ୍ଧବ  କହିଛନ୍ତି, ଏହା ସୁପାରୀ ଦେଇ ଶିବସେନାକୁ ହତ୍ୟା କରିବାର ଏକ ପ୍ରୟାସ। ଶିବସେନା ଭାଜପାର ହାତ ଚାଟିବା ପାଇଁ ଜନ୍ମ ହୋଇନାହିଁ । ବର୍ତ୍ତମାନ ସବୁଠାରୁ କଷ୍ଟକର ସମୟ, ପରିସ୍ଥିତି ସେଭଳି ଅଛି ଯେଉଁଭଳି ଶିବସେନା ମୁଖ୍ୟଙ୍କ ବିୟୋଗ ସମୟରେ ରହିଥିଲା। କୁହାଯାଉଥିଲା, ବାଲାସାହେବଙ୍କ ମୃତ୍ୟୁ ପରେ ଶିବସେନା ଚାଲିପାରିବ ନାହିଁ। କିନ୍ତୁ ଆମେ ଜିତିଥିଲୁ ।  ଯଦି ଆମେ ବର୍ତ୍ତମାନ ଜାଗ୍ରତ ନ ହେବା ତେବେ ୨୦୨୪ ଲୋକ ସଭା ନିର୍ବାଚନରେ ଏକଛତ୍ରବାଦୀ ସରକାର ଆସିବ। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ମଶାଲ ଚିହ୍ନକୁ ବ୍ୟବହାର କରାଯାଇପାରିବ। ଯଦି ଏହି ଚିହ୍ନକୁ ହଟାଇ ଦିଆଯାଏ ତେବେ ମୋ ମନରେ ଆଉ ୧୦ଟି ଚିହ୍ନ ରହିଛି। ଆମେ କୋର୍ଟରେ ଏବଂ ରାସ୍ତାରେ ପୁଣି ଥରେ ଲଢ଼ିବୁ ବୋଲି ଉଦ୍ଧବ ଠାକରେ କହିଛନ୍ତି। ସୂଚନା ମୁତାବକ, ନିର୍ବାଚନ ଆୟୋଗ ଶିବସେନାର ଧନୁତୀର ଚିହ୍ନକୁ ଏକନାଥ ଶିିନ୍ଦେ ଦଳକୁ ଦେଇଛନ୍ତି। ଏକ ଖବର ଅନୁଯାୟୀ, ଶିବସେନାଙ୍କ ବିଧାନସଭା କାର୍ଯ୍ୟାଳୟକୁ ଶିନ୍ଦେ ଦଳ ଦଖଲ କରିନେଇଛନ୍ତି। ଅର୍ଥାତ୍‌ ଶିନ୍ଦେ ଦଳକୁ ଶିବସେନାର ବିଧାନସଭା ପାର୍ଟି କାର୍ଯ୍ୟାଳୟ ମିଳିଯାଇଛି। ଏହାପରେ ଶିବସେନା ଶିନ୍ଦେଙ୍କ ବିଧାୟକ ମନ୍ତ୍ରଣାଳୟ ସମ୍ମୁଖରେ ଥିବା ଶିବାଳୟ କାର୍ଯ୍ୟାଳୟକୁ ମଧ୍ୟ ଦଖଲ କରିବେ ବୋଲି ଜଣାପଡ଼ିଛି।

Share