Categories: ବାଣିଜ୍ୟ

‘୧୨୫ କୋଟିର ଋଣ ମଞ୍ଜୁରୀ ପତ୍ର ବଣ୍ଟନ’

ଭୁବନେଶ୍ୱର,୨୧।୧୧: ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ସିବିଓଆଇ) ପକ୍ଷରୁ ନିକଟରେ ଏକ ଗ୍ରାହକ ସମ୍ମିଳନୀ ତଥା ମେଗା ଋଣ ଶିବିରର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ୧୨୫ କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ବଣ୍ଟନ ହୋଇଥିଲା। ଏହି ଅବସରରେ ସିବିଓଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଲୋକ ଶ୍ରୀବାସ୍ତବଙ୍କ ସମେତ ବ୍ୟାଙ୍କର କୋଲକାତା ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ଅଜୟ କୁମାର ସିଂ, ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ଅନାଦି ବିଶ୍ୱାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେହିଭଳି ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସ ସମ୍ପର୍କିତ ବ୍ୟାଙ୍କର କାର୍ଯ୍ୟଦକ୍ଷତା ଉପରେ ଶ୍ରୀବାସ୍ତବ ବିସ୍ତୃତ ଆଲୋକପାତ କରିଥିଲେ। ଏପରିକି ପିସିଏରୁ ବାହାରି ବ୍ୟାଙ୍କ ବର୍ତ୍ତମାନ ଅତ୍ୟନ୍ତ ଭଲ ସ୍ଥିତିରେ ରହିଛି ଏବଂ ଏହା ଗ୍ରାହକମାନଙ୍କ ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ସେ ମତପ୍ରକାଶ କରିଥିଲେ। ସେହିପରି ବ୍ୟାଙ୍କ ପାଖରେ ଯଥେଷ୍ଟ ପରିମାଣର ପୁଞ୍ଜି ମହଜୁଦ ସାଙ୍ଗକୁ ବ୍ୟାଙ୍କିଙ୍ଗ୍‌ ଇଣ୍ଡଷ୍ଟ୍ରିରେ ଏହାର ସର୍ବନିମ୍ନ ସୁଧ ହାର ରହିଛି ବୋଲି ସେ କହିଛନ୍ତି। ବିଶେଷ କରି ଗ୍ରାହକଙ୍କ ସହିତ ଭାବବିନିମୟ କରିବା ସହ ସେମାନଙ୍କୁ କିପରି ଉତ୍ତମ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇ ଦେଇ ହେବ ସେ ନେଇ ଗ୍ରାହକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଅପରପକ୍ଷରେ ବ୍ୟାଙ୍କର ବିଭିନ୍ନ ଶାଖା ମୁଖ୍ୟମାନଙ୍କ ସହ ସେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ପ୍ରତ୍ୟେକ ଜରୁରୀ ଗ୍ରାହକଙ୍କ ପାଖରେ ବ୍ୟାଙ୍କିଙ୍ଗ୍‌ ସେବା ପହଞ୍ଚାଇବାକୁ ଶ୍ରୀବାସ୍ତବ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସିବିଓଆଇ ଭୁବନେଶ୍ୱର କ୍ଷେତ୍ରର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ନିକଟରେ ସିବିଓଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଲୋକ ଶ୍ରୀବାସ୍ତବ ପ୍ରଥମ ଥର ପାଇଁ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି।

Share