ପ୍ରଧାନପାଟ ଉତ୍ସବରେ ଅତିଥି ଚୟନକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଅସନ୍ତୋଷ

ଦେବଗଡ଼, ୨୧।୧(ଡି.ଏନ୍‌.ଏ.): ପ୍ରଧାନପାଟସ୍ଥିତ ବଡ଼ବଗିଚାଠାରେ ଜାନୁୟାରୀ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଉତ୍ସବ ପ୍ରଧାନପାଟ ଅନୁଷ୍ଠିତ ହେଉଛି। ତେବେ ପ୍ରଧାନପାଟ ଉତ୍ସବରେ ଅତିଥି ଚୟନକୁ ନେଇ ଜିଲା ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ସେମାନଙ୍କର ଅଭିଯୋଗ ଅନୁଯାୟୀ, ଉତ୍ସବ ପ୍ରଧାନପାଟ ସମୟରେ ରାଜ୍ୟର ବିଭିନ୍ନ ମନ୍ତ୍ରୀ, ସରକାରୀ ପଦାଧିକାରୀ ଓ ଲୋକ ପ୍ରତିନିଧିମାନଙ୍କୁ ଅତିଥି ଭାବେ ନିମନ୍ତ୍ରିତ କରାଯାଇଥାଏ। ପ୍ରଧାନପାଟ ଉତ୍ସବର ଉଦ୍‌ଯାପନୀ କାର୍ଯ୍ୟକ୍ରମ ଅର୍ଥାତ ୨୪ ତାରିଖ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ୨ଜଣ ବିଧାୟକଙ୍କୁ ଅତିଥି ଭାବେ ନିମନ୍ତ୍ରିତ କରାଯାଇଥିବା ନେଇ ଉତ୍ସବ ପ୍ରଧାନପାଟ ନିମନ୍ତେ ଜିିଲା ପ୍ରଶାସନ ପକ୍ଷରୁ କରାଯାଇଥିବା କାର୍ଡରୁ ଜଣାପଡ଼ିଛି। ତେବେ ଏହାକୁ ଏନେଇ ଜିଲା ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶାର ବହୁ ବିଧାୟକ ଓ ମନ୍ତ୍ରୀ ଥିବାବେଳେ ଏକ ନିର୍ଦ୍ଦିଷ୍ଟ ରାଜନେତିକ ଦଳର ୨ଜଣ ବିଧାୟକଙ୍କୁ ନିମନ୍ତ୍ରିତ ଅତିଥି ଭାବେ ଡକାଯାଉଥିବାରୁ ଅଭିପ୍ରାୟ ବୁଝାପଡୁନାହଁି। ଦେବଗଡ଼ ଜିଲାର ନିକଟବର୍ତ୍ତୀ ଜିଲାର କୌଣସି ବିଧାୟକଙ୍କୁ ଉତ୍ସବ ପ୍ରଧାନପାଟ ପାଇଁ ଡକା ନ ଯାଇ ଏକ ନିର୍ଦ୍ଦିଷ୍ଟ ଦଳର ବିଧାୟକଙ୍କୁ ଡକାଯାଇଥିବା ଜିଲା ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇବା ସହିତ ଏକ ରାଜନୈତିକ ଦଳର ସଙ୍ଗଠନକୁ ସୁଦୃଢ କରିବା ପାଇଁ ତାଙ୍କୁ ଡକାଯାଇଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଏହା ସହିତ ଜିଲାରେ ବହୁ କଳାକାର ଥିବାବେଳେ ସେମାନଙ୍କୁ ସୁଯୋଗ ଦିଆ ନ ଯାଇ ବାହାର କଳାକାରଙ୍କୁ ସୁଯୋଗ ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ତେବେ ଏହାର ପୁନର୍ବିଚାର କରିବା ପାଇଁ ଜିଲା ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି। ଏନେଇ ଗୁରୁବାର ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଉକ୍ତ ଦାବିପତ୍ର ପ୍ରଦାନବେଳେ ଜିଲା ଭାଜପା ଯୁବମୋର୍ଚ୍ଚାର ଜିଲା ସଭାପତି ସନ୍ତୋଷ ଭୂତିଆ, ପୌରପରିଷଦର ଉପନଗରପାଳ ପ୍ରଜିତ ଭୋଜ, କାଉନସିଲର କାର୍ତ୍ତିକ ମହାକୁଳ, ରାଜ୍ୟ ଭାଜପା ଯୁବମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟ ଦୟାଶଙ୍କର ଦ୍ବିବେଦୀ, ନରୋତ୍ତମ ସାହୁଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।