ଅଧାପନ୍ତରିଆ ରାସ୍ତାକୁ ନେଇ ଅସନ୍ତୋଷ

ବାଲେଶ୍ୱର ଅଫିସ, ୩୦।୬-ବାଲେଶ୍ୱର ସହରର ବିଭିନ୍ନ ମୁଖ୍ୟ ରାସ୍ତା ସହ ଅନେକ ରାସ୍ତା ନିର୍ମାଣ ଅଧପନ୍ତରିଆ ଅବସ୍ଥାରେ ରହିଛି। ମରାମତି ଓ ନବୀକରଣ ପାଇଁ ରାସ୍ତାକଡ଼ରେ ବାଲି, ମେଟାଲ, ଚିପ୍ସ ପଡ଼ି ରହୁଥିବାରୁ ଟ୍ରାଫିକ୍‌ ଜାମ୍‌ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ସହରବାସୀ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ସହରର ବିଭିନ୍ନ ରାସ୍ତା ନବୀକରଣ ଓ ମରାମତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ୩୫କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରିଥିଲେ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବିଭିନ୍ନ କାରଣ ଦର୍ଶାଇ ଠିକାଦାର ଉକ୍ତ କାର୍ଯ୍ୟକୁ ସମ୍ପାଦନ ନ କରିବାରୁ ସହରବାସୀ ହନ୍ତସନ୍ତ ହେଉଛନ୍ତି। ଅନ୍ୟପକ୍ଷରେ ଠିକାଦାରମାନେ ନିମ୍ନମାନର ସାମଗ୍ରୀ ବ୍ୟବହାର କରୁଥିବା ଅଭିଯୋଗ ପାଇବା ପରେ ମଧ୍ୟ ସମ୍ପୃକ୍ତ ବିଭାଗର ଅଧିକାରୀ ଠିକ୍‌ ଭାବେ ତଦାରଖ କରୁ ନ ଥିବା ଅଭିଯୋଗ ହେଉଛି।
ଷ୍ଟେଶନଛକରୁ ପାତ୍ରପଡ଼ା ୪ କି.ମି. ଡ୍ରେନ୍‌, ପିଚୁ ଓ କଂକ୍ରିଟ୍‌ ରାସ୍ତା କାର୍ଯ୍ୟ ସହିତ ଓଟିରୋଡ୍‌ରୁ ଶୋଭାରାମପୁର ଦେଇ ସୁରଜ ହୋଟେଲ ଛକ, ଚିଡ଼ିଆପୋଲରୁ ଦର୍ଜିପୋଖରୀ ଛକ ଭାୟା ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଳୟ, ଆଜିମାବାଦରୁ ମଲ୍ଲିକାଶପୁର ଶାନ୍ତିକାନନ ରାସ୍ତା, ଦେୱାନୀପାଟଣାରୁ ପାତ୍ରପଡ଼ା ଭାୟା କନକଦୁର୍ଗା ମନ୍ଦିର, ବୈରାମନଗର ଛକରୁ କାଦ୍ରି ମସଜିଦ୍‌ ଛକ ଓ ଗଡ଼ଗଡ଼ିଆରୁ ପୁରୁଣାବାଲେଶ୍ୱର ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଦୀର୍ଘ ୨ବର୍ଷ ଧରି ଜାରି ରହିଛି। ଅଧିକାଂଶ ରାସ୍ତାର କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ସବୁ ରାସ୍ତା ଅଧପନ୍ତରିଆ ଅବସ୍ଥାରେ ଥିବା ବେଳେ ରାସ୍ତାକଡ଼ରେ ନିର୍ମାଣ ସାମଗ୍ରୀ ପଡ଼ିରହିଛି। ସାମଗ୍ରୀଗୁଡ଼ିକ ରାସ୍ତା ଉପରେ ପଡ଼ି ରହିବା ଫଳରେ ଲୋକେ ଯାତାୟାତ କରିବାରେ ନାନା ସମସ୍ୟା ଭୋଗୁଛନ୍ତି। ରାସ୍ତାର ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ ତତ୍ତ୍ୱାବଧାନରେ ଚାଲିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଲୋକଙ୍କ ଆପତ୍ତିକୁ ଭ୍ରୁକ୍ଷେପ କରୁ ନାହାନ୍ତି କି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ନେଇ କୌଣସି ପଦକ୍ଷେପ ନେଉନାହାନ୍ତି। ବିଭାଗୀୟ ଉଦାସୀନତା ଯୋଗୁ ଆନ୍ଦୋଳନ ଦାନା ବାନ୍ଧୁଛି।
ଏନେଇ ପୂର୍ତ୍ତବିଭାଗ ନିର୍ବାହୀଯନ୍ତ୍ରୀ ମହେଶ ଚନ୍ଦ୍ର ମହାନ୍ତି କୁହନ୍ତି, ଗତ ସାଧାରଣ ନିର୍ବାଚନ, ‘ଫନୀ’ ବାତ୍ୟା, ଠିକାଦାରଙ୍କ ଆନ୍ଦୋଳନ, ସ୍ଥାନୀୟ ଲୋକଙ୍କ ଜବରଦଖଲ ଉଚ୍ଛେଦଜନିତ ସମସ୍ୟା ସହିତ କରୋନା ମହମାରୀ ସ୍ଥିତିର ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ୍‌ ବିଭିନ୍ନ କାରଣ ଯୋଗୁ କାର୍ଯ୍ୟରେ ବିଳମ୍ବ ହେଉଛି। ଉପରୋକ୍ତ କାର୍ଯ୍ୟଗୁଡିକୁ ତ୍ୱରାନ୍ବିତ କରାଯାଉଛି। ଆସନ୍ତା ନଭେମ୍ବର ସୁଦ୍ଧା କାର୍ଯ୍ୟ ସବୁ ସମ୍ପୂର୍ଣ୍ଣ ହୋଇଯିବ।