ବସ ଭଡ଼ା ନିର୍ଦ୍ଧାରିତ ଦରଠାରୁ ଅଧିକ ନେବାରୁ ଅସନ୍ତୋଷ: ଆନ୍ଦୋଳନ ପାଇଁ ଚେତାବନୀ

ଦାରିଙ୍ଗବାଡି,୨୧।୯(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଯାତାୟତ କରୁଥିବା ଯାତ୍ରୀବାହୀ ଘରୋଇ ଓ ସରକାରୀ ବସଗୁଡିକର ଦୌରାତ୍ମ୍ୟ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି। ସରକାରଙ୍କ ନିର୍ଦ୍ଧାରିତ ଦର ଠାରୁ ଅଧିକ ଅର୍ଥ ଯାତ୍ରୀମାନଙ୍କଠାରୁ ସଂଗ୍ରହ କରାଯାଉଥିବା ନେଇ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି। ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବାକୁ ଅଞ୍ଚଳରେ ବିଭିନ୍ନ ଲୋକ ସଂଗଠନ ଗୁଡିକ ଏକତ୍ରିତ ହେଉଛନ୍ତି। ଏନେଇ କୁଇ ସମାଜର ପରାମର୍ଶଦାତା ଘେନେଶ୍ୱର ପ୍ରଧାନ ଉଦବେଗ ପ୍ରକାଶ କରିବା ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି। ସେ ଅଭିଯୋଗ କରି କହିଛନ୍ତି ଯେ, ଦାରିଙ୍ଗବାଡିଠାରୁ ସିମନବାଡି ମାତ୍ର ୧୨ କିମି ଦୂରତା ରହିଥିବା ବେଳେ ଯାତ୍ରୀଙ୍କଠାରୁ ଟିକେଟ ବାବଦରେ ୨୦ ଟଙ୍କା ନିଆଯାଉଥିବା ବେଳେ ସିମନବାଡିଠାରୁ ରାଇକିଆ ମାତ୍ର ୨୪ କିମି ରାସ୍ତାକୁ ୪୦ ଓ ସିମନବାଡିରୁ ବାଲିଗୁଡା ୩୭ କିମିକୁ ୫୦ ଟଙ୍କା ପର୍ଯ୍ୟନ୍ତ ବସ ମାଲିକମାନେ ଟିକେଟ ସଂଗ୍ରହ କରୁଛନ୍ତି। ଏହାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଅଞ୍ଚଳର ଶ୍ୟାମସେନ ଦିଗାଲ କହିଛନ୍ତି ଯେ, ଟିକେଟ ବାବଦକୁ ଅର୍ଥ ଅଧିକ ନେବା ସହ ଟିକେଟ ପ୍ରଦାନ କରୁନାହାନ୍ତି। ଫଳରେ ଆମେ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବୁ ବୋଲି ସେ ଚେତାବନୀ ଦେଇଛନ୍ତି। ଏନେଇ ସେମାନେ ଆନ୍ଦୋଳନ କରିବା ପୂର୍ବରୁ ଆଞ୍ଚଳିକ ପାରିବହନ ବିଭାଗ ଅଧିକାରୀ ଶିଶିର କୁମାର ସାହୁଙ୍କ ସହ ଫୋନରେ ଅଭିଯୋଗ କରିଥିବା କହିଛନ୍ତି। ଏନେଇ ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ଶିଶିର କୁମାର ସାହୁଙ୍କୁ ପଚାରିବୁଝିବାରୁ ସେ କହିଛନ୍ତି ଯେ, ଏଭଳି ଅଭିଯୋଗ ଆସିଛି। ସେ ଏନେଇ ବସ ମାଲିକ ସଙ୍ଘକୁ ଚିଠି କରିବା ସହ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି।