ପୁରୁଣା ଡ୍ରେନ୍‌ ଉପରେ ନୂଆ କାର୍ଯ୍ୟ ନେଇ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ସିକାକେତା ପର୍ଯ୍ୟନ୍ତ ୧୫ କିମି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ୨୦୨୨ ଜୁନ୍‌ରୁ ଆରମ୍ଭ କରାଯାଇଥିବା କାର୍ଯ୍ୟ ଅତି ନିମ୍ନମାନର କରାଯାଉଥିବା ବେଳେ ବିଳମ୍ବ ହେଉଛି। ଫଳରେ ଲାଇଫ୍‌ଲାଇନ୍‌ କୁହାଯାଉଥିବା ଏହି ରାସ୍ତାରେ ଯାତାୟାତରେ ବହୁ ସମସ୍ୟା ବୃଦ୍ଧି ପାଇଛି। ଦୈନିକ ଏହି ରାସ୍ତାରେ ଶହ ଶହ ଅଞ୍ଚଳବାସୀ ରାଇକିଆ, ଜି. ଉଦୟଗିରି, ଫୁଲବାଣୀ, ଟିକାବାଲି ଯାତାୟାତ କରିଥାନ୍ତି। ରାସ୍ତା ଏବେ ମରଣଯନ୍ତା ପାଲଟିଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ଏବେ ଉକ୍ତ ରାସ୍ତାର ସାମ୍ପ୍ରସାରଣ ବେଳେ ସିକାକେତା ଗ୍ରାମରେ ପୂର୍ବରୁ ରହିଥିବା ଡ୍ରେନ୍‌ ଉପରେ ଗାର୍ଡ ଓ୍ବାଲ ନିର୍ମାଣକୁ ସ୍ଥାନୀୟ ସରପଞ୍ଚ ପ୍ରସନ୍ନ କୁମାର ପ୍ରଧାନ ବିରୋଧ କରିଛନ୍ତି। ପୁରୁଣା ଡ୍ରେନ୍‌ ଉପରେ ଏବେ ଲୁହା ଛଡ଼ ଦେଇ କଂକ୍ରିଟ ଢଳେଇ କରାଯାଉଛି। ଯାହାକି ଆଗାମୀ ଦିନରେ ବର୍ଷାରେ ଧୋଇ ହୋଇଯିବ ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ପୂର୍ତ୍ତ ବିଭାଗ ଦ୍ୱାରା ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ବେଳେ କିଭଳି ପୁରୁଣା ଡ୍ରେନ୍‌କୁ ମରାମତି କରି ଚଞ୍ଚକତା କରିବାକୁ ବିଭାଗର ଅଧିକାରୀମାନେ ଚକ୍ରାନ୍ତ କରିପାରନ୍ତି ବୋଲି ସରପଞ୍ଚ ଓ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସେହିପରି ଦୀର୍ଘଦିନ ହେଲା ଉକ୍ତ ରାସ୍ତାର ଏକାଧିକ ସ୍ଥାନରେ କାର୍ଯ୍ୟ କରାଯିବା ପାଇଁ ମେଟାଲ ପକାଇ ଛାଡ଼ି ଦିଆଯାଇଥିବାରୁ ସେହି ରାସ୍ତାରେ ଚାଲିକି ହେଉ କି ବାଇକ୍‌ରେ ଯାତାୟାତ ସମସ୍ୟା ଦେଖାଯାଉଛି। ବାଇକ୍‌ ଚାଳକମାନେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଠିକାସଂସ୍ଥା ନାମରେ ବିଭାଗ ବାରମ୍ବାର କାରଣ ଦର୍ଶାଅ ନୋଟିସ୍‌ ଦେଇଥିଲେ ସୁଦ୍ଧା ପୂର୍ବରୁ ଯାହା ଅବସ୍ଥା ଥିଲା ଏବେ ମଧ୍ୟ ସେମିତି ରହିଛି।

ସୂଚନାଯୋଗ୍ୟ, ଉକ୍ତ ୧୫ କିମି ରାସ୍ତାକୁ ପ୍ରାୟ ୨୩ କୋଟି ଟଙ୍କା ବିନିମୟରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏହାର ତଦାରଖ କରିବାକୁ ବିଭାଗୀୟ ଅଧିକାରୀମାନେ ନିୟମିତ ପଦକ୍ଷେପ ନେଉ ନ ଥିବାରୁ ଅବହେଳା ହେଉଥିବା ଅଭିଯୋଗ ହେଉଛି। ଏନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ହିମାଂଶୁ ଶେଖର ମଣ୍ଡଳ କହିଛନ୍ତି। ସେଠାରେ ପୁରୁଣା ଡ୍ରେନ୍‌ ରହିଥିବାରୁ ଡ୍ରେନ୍‌ ପାଇଁ ଅଟକଳ କରାଯାଇ ନ ଥିଲା ଏବେ ରାସ୍ତା ଉଚ୍ଚ ହେବାରୁ ପୁରୁଣା ଡ୍ରେନ୍‌ ଉପରେ ପୁଣି ଓ୍ବାଲ୍‌ ଉଠାଯାଉଛି ବୋଲି କହିଛନ୍ତି।