ନାମଲେଖା ଫି ନେଇ ଅସନ୍ତୋଷ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଖୁଣ୍ଟପାଲିସ୍ଥିତ ବାବା ବାଲୁଙ୍କେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ନାମଲେଖା ପାଇଁ ନିର୍ଦ୍ଧାରଣ କରାଯାଇଥିବା ଫି ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ଉକ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପୁରାତନ ଛାତ୍ର ଏବଂ ଅଭିଭାବକମାନେ ଗୁରୁବାର ଉପଜିଲାପାଳ ତଥା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଲଲାଟ କୁମାର ଲୁହାଙ୍କୁ ଫେରାଦ ହୋଇ ଏକ ସ୍ମାରକପତ୍ର ପ୍ରଦାନ ଥିଲେ। ନିର୍ଦ୍ଧାରିତ ନାମଲେଖା ଫି ହ୍ରାସ କରି ସର୍ବନିମ୍ନ ଫି ନିର୍ଦ୍ଧାରଣ ଦିଗରେ ବିହିତ ପଦକ୍ଷେପ ନେବାକୁ ନିବେଦନ କରାଯାଇଛି।

ଉକ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ନାମଲେଖା ପାଇଁ ଛାତ୍ର ପ୍ରତି ୧୨ହଜାର ୫ଶହ ଟଙ୍କା ଲେଖାଏଁ ଆଦାୟ କରାଯାଉଛି। ଅଞ୍ଚଳର ଲୋକେ କେବଳ ଚାଷକାର୍ଯ୍ୟ ଉପରେ ନିର୍ଭରଶୀଳ ଥିବାବେଳେ ଆର୍ଥିକ ସ୍ବଚ୍ଛଳ ମଧ୍ୟ ନୁହଁନ୍ତି। ଫଳରେ ନିଜ ଝିଅପୁଅଙ୍କୁ ପଢ଼ାଇବା ପାଇଁ ସେହି ପରିମାଣର ଫି ଦେବା କଷ୍ଟକର ହୋଇଛି ବୋଲି ପୁରାତନ ଛାତ୍ର ତଥା ଅଭିଭାବକମାନେ କହିଛନ୍ତି। ଉକ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୧୫ଜଣ କର୍ମଚାରୀଙ୍କ ମଧ୍ୟରୁ ୧୧ଜଣ ସରକାରୀ ଦରମାପ୍ରାପ୍ତ ହୋଇଥିବା ବେଳେ ୪ଜଣ ପରିଚାଳନା ପରିଷଦରୁ ଦରମା ପାଉଛନ୍ତି ବୋଲି ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ସେହିପରି ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ସରକାର ନିୟମିତ ପାଣ୍ଠି ଯୋଗାଇ ଦେଉଛନ୍ତି। ଏଭଳି ସ୍ଥଳେ ନାମଲେଖା ଫି ନିର୍ଦ୍ଧାରଣର ପୁନର୍ବିଚାର କରିବା ପାଇଁ ଆଦିତ୍ୟ ମେହେର, ଆନନ୍ଦ ମେହେର, ପରମାନନ୍ଦ ମେହେର, ନିତ୍ୟାନନ୍ଦ ଭୋଇ, ଶରତ କୁମାର ସାହୁ, କୃପାସିନ୍ଧୁ ବେହେରା ପ୍ରମୁଖ ନିବେଦନ କରିଛନ୍ତି।