ବିଦ୍ୟୁତ୍‌ କାଟ୍‌କୁ ନେଇ ତେଜୁଛି ଅସନ୍ତୋଷ

ବାରିପଦା ଅଫିସ,୨୧ା୪; ମୟୂରଭଞ୍ଜ ଜିଲା ବାରିପଦା ସହରରେ ତାପମାତ୍ରା ୪୪ଡିଗ୍ରୀ ଉପରେ ରହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ପ୍ରବଳ ଗୁଳୁଗୁଳି ଗରମ ଓ ତାତି ଅସହ୍ୟ ହୋଇପଡୁଛି। ବାହାରକୁ ବାହାରିବା ଅସମ୍ଭବ ହୋଇପଡୁଛି। ଝାଞ୍ଜି ପବନ ଯୋଗୁ ଲୋକେ ଡହଳବିକଳ ହେଉଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ୍‌ ଯୋଗୁ ଅସନ୍ତୋଷ ତେଜିବାରେ ଲାଗିଛି। ବିଦ୍ୟୁତ୍‌ ବିଭାଗର ଅବହେଳା ଓ ମନୋମୁଖି କାର୍ଯ୍ୟ ପାଇଁ ବାରମ୍ବାର ବିଦ୍ୟୁତ କାଟ୍‌ ଯୋଗୁ ସହରବାସୀ ଗ୍ରୀଷ୍ମ କଷ୍ଟ ଭୋଗୁଛନ୍ତି। ସହରରେ ଥିବା ୨୮ଟି ୱାର୍ଡ ମଧ୍ୟରୁ ୧୭ନଂ.ୱାର୍ଡ ବିଜୟରାମଚନ୍ଦ୍ରପୁରବାସୀ ବିଦ୍ୟୁତ୍‌ କାଟକୁ ନେଇ ଅଭିଯୋଗ କରିଛନ୍ତି। ବାରମ୍ବାର ବିଦ୍ୟୁତ୍‌ କାଟ୍‌ ଯୋଗୁ ଶିଶୁ ଓ ବୃଦ୍ଧାବୃଦ୍ଧମାନେ ପ୍ରବଳ ଗରମରେ ବେଶୀ ପ୍ରଭାବିତ ହେଉଛନ୍ତି। ଉପଭୋକ୍ତାମାନଙ୍କ ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀମାନେ ଠିକ୍‌ ଜବାବ ଦେଇପାରୁ ନ ଥିବା ବେଳେ ଓଭରଲୋଡ୍‌ ଯୋଗୁ ବିଦ୍ୟୁତ୍‌ କାଟ କରାଯାଉଛି ବୋଲି ସଫେଇ ଦେଉଛନ୍ତି। ସେହିପରି ଆବଶ୍ୟକ କର୍ମଚାରୀ ଅଭାବରୁ ରକ୍ଷଣାବେକ୍ଷଣ ନିମନ୍ତେ ପାୱାର କାଟ୍‌ କରାଯାଉଛି ବୋଲି କର୍ମଚାରୀମାନେ ପ୍ରକାଶ କରୁଥିବା ନେଇ ୱାର୍ଡବାସୀ ପ୍ରକାଶ କରିଛନ୍ତି ା ତେବେ ବର୍ଷ ତମାମ ରକ୍ଷଣାବେକ୍ଷଣ ପାଇଁ ପ୍ରତି ସପ୍ତାହରେ ଦିନେ କିମ୍ବା ଦୁଇ ଦିନ ବିଦ୍ୟୁତ୍‌ କାଟ କରାଯାଉଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ୍‌ କାଟ କରିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସୁଜିତ କୁମାର ରଥ କୁହନ୍ତି, ବିଦ୍ୟୁତ୍‌ କାଟ କରାଯାଉ ନ ଥିବା ବେଳେ ଓଭର ଲୋଡ୍‌ ପାଇଁ ବିଭିନ୍ନ ସମସ୍ୟା ଉପୁଜିବାରେ ଲାଗିଛି। ଫ୍ୟୁଜ୍‌ କଟିବା ଫଳରେ ବାରମ୍ବାର ବିଦ୍ୟୁତ୍‌ ଟ୍ରିପ୍‌ କରୁଛି। ୨୪ଘଣ୍ଟିିଆ ଅନବରତ ସେବା ଯୋଗାଇବା ନିମନ୍ତେ ୨/୩ଟି ଗାଡ଼ିରେ କର୍ମଚାରୀମାନେ ବୁଲି ରକ୍ଷଣାବେକ୍ଷଣ କରିବା ସହ ବିଦ୍ୟୁତ୍‌ ସେବା ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି।