ମଦ ଦୋକାନକୁ ନେଇ ଅସନ୍ତୋଷ:  ବିରୋଧ, ରାସ୍ତାରୋକୋ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନମ୍ବର-୧ର ନିଗମାନନ୍ଦ ବିହାର ଛକ ନିକଟରେ ବିଦେଶୀ ମଦ ଦୋକାନ ଖୋଲିବାକୁ ନେଇ ଅସନ୍ତୋଷ ତେଜି ଉଠିଛି। ଏହାକୁ ବିରୋଧ କରି ମଙ୍ଗଳବାର ସ୍ଥାନୀୟ ଲୋକେ ପୂର୍ବାହ୍ନ ପ୍ରାୟ ୧୧ଟାରୁ ରାସ୍ତାକୁ ଓହ୍ଲାଇ ଥିଲେ। ନିଗମାନନ୍ଦ ବିହାର ଛକ ନିକଟରେ ରାସ୍ତାରୋକୋ କରିବାରୁ ବରଗଡ଼ ସହରରୁ ହଳଦୀପାଲି ଛକ ରାସ୍ତାକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପରେ ଘଟଣାସ୍ଥଳରେ ପୋଲିସ ଏବଂ ଅବକାରୀ ବିଭାଗର ଅଧିକାରୀମାନେ ପହଞ୍ଚତ୍ ଥିଲେ। ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ଭଟଲି ଛକରୁ ଜୀରାବ୍ରିଜ ପର୍ଯ୍ୟନ୍ତ ଆବାସିକ ଅଞ୍ଚଳରେ ମଦ ଦୋକାନ ଖୋଲାଯିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଅବକାରୀ ଉପଅଧୀକ୍ଷକ ଦିବ୍ୟରଞ୍ଜନ ରାଉତ୍‌ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଆନ୍ଦୋଳନକାରୀମାନେ ଅପରାହ୍ନ ପ୍ରାୟ ୧ଟାରେ ରାସ୍ତାରୋକୋ ଆନ୍ଦୋଳନରୁ ହଟିଥିଲେ ଏବଂ ଯାତାୟାତ ସ୍ବାଭାବିକ ହୋଇଥିଲା।
ସୂଚନା ଅନୁଯାୟୀ, ନିଗମାନନ୍ଦ ବିହାର ଛକରେ ପୂର୍ବରୁ ଏକ ବିଦେଶୀ ମଦ ଦୋକାନ ରହିଥିଲା। ସେଠାରେ ମଦ ଦୋକାନ ହଟାଇବା ପାଇଁ ନିଗମାନନ୍ଦ ବିହାରବାସୀ ବାରମ୍ବାର ଜିଲା ପ୍ରଶାସନ ସହିତ ଅବକାରୀ ଓ ପୋଲିସ ବିଭାଗକୁ ନିବେଦନ କରିଥିଲେ। କିନ୍ତୁ ସେମାନଙ୍କୁ କେବଳ ଆଶ୍ୱାସନା ମିଳିଥିଲା। ମାତ୍ର ମଦ ଦୋକାନ ହଟି ନ ଥିଲା ବୋଲି ପଡ଼ାବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଲାଇସେନ୍ସ ଅବଧି ସରିଯିବାରୁ ସେହି ମଦ ଦୋକାନ ବନ୍ଦ ହେବା ପରେ ନୂତନଭାବେ ଲାଇସେନ୍ସ ପାଇଥିବା ଅନ୍ୟ ଜଣେ ପୁଣି ନିଗମାନନ୍ଦ ବିହାର ଛକରେ ମଙ୍ଗଳବାର ମଦ ଦୋକାନ ଖୋଲିବା ଆରମ୍ଭ କରିଥିଲେ। ଏହା ଜାଣିବା ପରେ ନିଗମାନନ୍ଦ ବିହାରବାସୀ ଏକଜୁଟ୍‌ ହୋଇ ରାସ୍ତାକୁ ଓହ୍ଲାଇଥିଲେ। ଉକ୍ତ ଛକ ବସ୍ତି ଅଞ୍ଚଳରେ ଥିବାବେଳେ ନିକଟରେ ଘରୋଇ ନର୍ସିଂ କଲେଜ, ଘରୋଇ ଡାକ୍ତରଖାନା, ଶିକ୍ଷାନୁଷ୍ଠାନ ଆଦି ରହିଛି। ଫଳରେ ଏଠାରେ ମଦ ଦୋକାନ ଖୋଲିବାକୁ କେବେ ମଧ୍ୟ ପ୍ରଶୟ ଦିଆଯିବ ନାହିଁ ଏବଂ ମଦ ଦୋକାନ ଖୋଲାଗଲେ ଆଗକୁ ଦୃଢ଼ ବିରୋଧ କରାଯିବ ବୋଲି ନିଗମାନନ୍ଦ ବିହାରବାସୀ ଚେତାବନୀ ଦେଇଛନ୍ତି।

 

Dharitri – Odisha’s No.1 Odia Daily

 

Share