ପ୍ରାର୍ଥିତ୍ୱକୁ ନେଇ ବିଜେଡିରେ ବଢୁଛି ଅସନ୍ତୋଷ

ଭଦ୍ରକ ଅଫିସ, ୧୪।୧୦:ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା ପରେ ଧାମନଗର ବିଜେଡିରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଥିବା ନିଷ୍ପତ୍ତିକୁ କେତେଜଣ ସ୍ବାଗତ କରିଥିବା ବେଳେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଟିକେଟ ନ ମିଳିବା ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ତାଙ୍କ ସମର୍ଥକମାନେ ଜିଦ୍‌ରେ ଅଟଳ ରହିଛନ୍ତି। ଗୁରୁବାର ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭଦ୍ରକ ବାଇପାସ୍‌ସ୍ଥିତ ତାଙ୍କ ବାସଭବନରେ ସମର୍ଥକମାନଙ୍କ ଭିଡ଼ ଲାଗି ରହିଥିଲା। ଏ ନେଇ ରାଜେନ୍ଦ୍ର କହିଛନ୍ତି, ନିଷ୍ପତ୍ତି ଲୋକଙ୍କ ଉପରେ ଛାଡିଛି। ଶୁକ୍ରବାର ନାମାଙ୍କନ ସରୁଥିବା ବେଳେ ସକାଳ ୧୦ଟା ସୁଦ୍ଧା ସେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବେ ବୋଲି କହିଛନ୍ତି । ତେବେ ଅବନ୍ତୀଙ୍କୁ ଟିକେଟ ମିଳିବା ପରେ ଅସନ୍ତୁଷ୍ଟ ଥିବା ରାଜେନ୍ଦ୍ରଙ୍କୁ ମନାଇବା ପାଇଁ ଗୁରୁବାର ଅପରାହ୍ନରେ ଦଳର କେତେଜଣ ନେତା ବହୁ ଉଦ୍ୟମ କରିଥିଲେ। କିନ୍ତୁ ଏଥିରେ କୌଣସି ସୁଫଳ ମିଳି ନ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।