ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଅନେକ ଛାତ୍ରୀଛାତ୍ରଙ୍କ ପେପର ବ୍ୟାକ ଲାଗିଛି। ଯାହାକୁ ନେଇ ଗଞ୍ଜାମ ଜିଲାର ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି । ଛାତ୍ରୀଛାତ୍ର ମାନଙ୍କ କହିବା କଥା ହେଲା ମୂଲ୍ୟାଙ୍କନ ଠିକ ଭାବେ ହୋଇନାହିଁ। ଏଥିସହ ଅନ୍ୟାନ୍ୟ କାରଣ ଯୋଗୁ ସେମାନଙ୍କ ପେପର ବ୍ୟାଗ ଲାଗିଛି। ଏଥିପ୍ରତି ବିଶବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଛାତ୍ରୀଛାତ୍ରମାନେ ନିଜ ନିଜ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କୁ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ସମସ୍ୟାର ସମାଧାନ ନ କରନ୍ତି ତେବେ ଛାତ୍ରୀଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କେତେକ କଲେଜର ଛାତ୍ରୀଛାତ୍ର ଚେତାବନୀ ଦେଇଛନ୍ତି।
ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନେ ମଧ୍ୟ ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତଙ୍କୁ ଭେଟି କୁଳପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏନେଇ ଅଧ୍ୟକ୍ଷ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ସଂପର୍କରେ ଅବଗତ କରାଇଛନ୍ତି।