Categories: ଖେଳ

ଆଇପିଏଲ୍‌ ଖେଳୁ ନ ଥିବାରୁ ଅବସୋସ ନାହିଁ: ଷ୍ଟାର୍କ

ମେଲବୋର୍ନ,୪।୮(ପି.ଟି.): ଚଳିତ ବର୍ଷ ୟୁନାଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅଷ୍ଟ୍ରେଲୀୟ ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଖେଳିବେ ନାହିଁ। ତେବେ ଏଥିପାଇଁ ମୋର କୌଣସି ଅବସୋସ ନାହିଁ ବୋଲି ସେ କହିଛନ୍ତି। ଅଗାମୀ ସମର ସେସନ ପାଇଁ ଟ୍ରେନିଂ ଜାରି ରଖିବି ଓ ପ୍ରସ୍ତୁତି ଚଳାଇବି ବୋଲି ସେ କହିଛନ୍ତି।
ପୂର୍ବରୁ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଉପରେ ଫୋକସ୍‌ କରିବା ପାଇଁ ଷ୍ଟାର୍କ ଆଇପିଏଲ୍‌ରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପରେ ଏହି ବିଶ୍ୱକପ୍‌କୁ କୋଭିଡ୍‌-୧୯ ମହାମାରୀ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ଫଳରେ ଆଇପିଏଲ୍‌ ପାଇଁ ପଥ ପରିଷ୍କାର ହୋଇଥିଲା। ତେବେ ଏ ନେଇ ଦୂରଦୃଷ୍ଟି ନ ଥିବା କଥାକୁ ଷ୍ଟାର୍କ ସ୍ବୀକାର କରିଛନ୍ତି। ତେବେ ନିଷ୍ପତ୍ତି ବଦଳାଇବେ ନାହିଁ ବୋଲି ୩୦ ବର୍ଷୀୟ ଷ୍ଟାର୍କ ସ୍ପଷ୍ଟ କରିଛନ୍ତି। ଗତ ଦୁଇବର୍ଷ ହେବ ଷ୍ଟାର୍କ ରୟାଲ ଚ୍ୟାଲେଞ୍ଜର୍‌ସ ବାଙ୍ଗାଲୋର ପାଇଁ ଆଇପିଏଲ୍‌ ଖେଳି ଆସୁଥିଲେ। ଆଇପିଏଲ ଖେଳାଯିବା ବେଳେ ଟ୍ରେନିଂରେ ବ୍ୟସ୍ତ ରହିବି ଓ ନିଷ୍ପତ୍ତି ବଦଳାଇବି ନାହିଁ ବୋଲି ସେ କହିଛନ୍ତି।
୨୦୧୮ ଆଇପିଏଲ୍‌ ନିଲାମରେ ଷ୍ଟାର୍କଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ କ୍ରୟ କରିଥିଲା। କିନ୍ତୁ ଇଞ୍ଜୁରୀ କାରଣରୁ ସେ ବାଦ୍‌ ପଡିଥିଲେ। ଏହାପରେ ସେ ନଭେମ୍ବରରେ ରିଲିଜ୍‌ ହୋଇଥିଲେ। ଏବେ ନ୍ୟୁ ସାଉଥ ଓ୍ବେଲ୍ସର ସାଥୀ ଖେଳାଳମାନଙ୍କ ସହ ଟ୍ରେନିଂ ଜାରି ରଖିଛନ୍ତି। ଅଷ୍ଟ୍ରେଲିଆର ଇଂଲଣ୍ଡ ଗସ୍ତ ନେଇ ସେ ଅପେକ୍ଷା କରିଛନ୍ତି। ଏହି ଗସ୍ତରେ ଅଷ୍ଟ୍ରେଲିଆ ୩ଟି ଲେଖାଏ ଟି୨୦ ଓ ଦିନିକିଆ ମ୍ୟାଚ୍‌ ଖେଳିବ। ଏହି ସିରିଜ ସେପ୍ଟେମ୍ବର ୪ ତାରିଖରୁ ଆରମ୍ଭ ହେବ। ତେବେ ଏହି ଗସ୍ତକୁ ଏପର୍ଯ୍ୟନ୍ତ ଅନୁମୋଦନ କରାଯାଇନାହିଁ।

Share