ଜଳ ନିଷ୍କାସନରେ ବାଧକ ସାଜିଛି ପଠା

ମହାକାଳପଡ଼ା,୨୦ା୮ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷୀକୁଳ ହତାଶ ହୋଇ ପଡିଛନ୍ତି। କାରଣ ଚଳିତ ମୌସୁମୀ ଦୁର୍ବଳ ଯୋଗୁ ବର୍ଷା କାଁ ଭାଁ ଦେଖିବାକୁ ମିଳୁଛି। ଅପରପକ୍ଷେ ଗୋବରୀ ନଦୀ ଉପର ମୁଣ୍ଡରେ ବର୍ଷା ଅଭାବ ଯୋଗୁ ଜଳ ତଳ ମୁଣ୍ଡରେ ପହଞ୍ଚତ୍ ପାରୁନି। ଗୋବାରୀ ନଦୀର ଓରତ ସେତୁ ନିକଟରେ ବାଲି, ମାଟି ଓ ପଙ୍କରେ ପଠା ସୃଷ୍ଟି ଯୋଗୁ ଜଳ ନିଷ୍କାସନରେ ବାଧକ ସାଜିଛି। ଚାଷ ଜମିକୁ ଜଳସେଚନ ହୋଇପାରୁନି ବୋଲି ଅଞ୍ଚଳର ବହୁ ଚାଷୀ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବ୍ଲକର ଗୋବରୀ ନଦୀ ଓରତ ସେତୁ ନିର୍ମାଣ ସମୟରେ ପିଲାର ପାଇଁ ଖନନ ହୋଇଥିବା ମାଟି ଏହି ସ୍ଥାନରେ ଠୁଳ କରାଯାଇଥିଲା। ପରବର୍ତ୍ତୀ ସମୟରେ ନିର୍ମାଣ ସଂସ୍ଥା ବାଲି, ମାଟିକୁ ଅନ୍ୟତ୍ର ନ ନେଇ ଉକ୍ତ ସେତୁ ସମ୍ମୁଖରେ ଜମା କରିବା ଯୋଗୁ ପଠା ବା କୁଦ ହୋଇଥିଲା। ଓରତ ଘାଟ ଗୋବରୀ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ୨୦୦୩ ଜୁଲାଇ ୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଏହି ସେତୁ ନିର୍ମାଣ ପରେ ବ୍ଲକର ୧୦ରୁ ଅଧିକ ପଞ୍ଚାୟତ ଲୋକ ବ୍ଲକ କାର୍ଯ୍ୟାଳୟକୁ ଯାଆଆସ କରିଥାନ୍ତି। ଉକ୍ତ ସ୍ଥାନରେ ମୁଖ୍ୟତଃ ଜଳ ନିଷ୍କାସନରେ ବାଧକ ସାଜିଛି। ତେବେ ଏହି ପଠାକୁ ଖୋଳିବା ପାଇଁ ସ୍ଥାନୀୟ ଚାଷୀ ଓ ଜନପ୍ରତିନିଧିମାନେ କହିଛନ୍ତି। ତେବେ ଗୋବରୀରେ ପୂର୍ବରୁ ପ୍ରଚୁର ପରିମାଣରେ ମାଛ ମିଳୁଥିଲା। ସ୍ଥାନୀୟ ଧୀବରମାନେ ନଦୀରୁ ସମୁଦ୍ର ଇଲିଶ ଧରୁଥିଲେ। ସମୟକ୍ରମେ ଏହି ସ୍ଥାନରୁ ଦୈନିକ ଦୁଇ କିଲୋ ମାଛ ଧରିବା ସମ୍ଭବ ହେଉନି। ଅଳାଇଲୋ ଗାଁର କେତେଜଣ ଚାଷୀ ଓ ମତ୍ସ୍ୟଜୀବୀଙ୍କ ମଧ୍ୟରେ କେଳୁ ଚରଣ ସେଠୀ, ବହ୍ଲବ ସେଠୀ, ବାବାଜୀ ସେଠୀ, ପାଣ୍ଡବ ସେଠୀ, କୁଞ୍ଜ ସେଠୀ, ସହଦେବ ସେଠୀ, ଚୈତନ୍ୟ ସେଠୀ, ପ୍ରହଲ୍ଲାଦ ସେଠୀ କହିବା ଅନୁସାରେ, ଦିନଥିଲା ଏହି ଗୋବରୀ ନଦୀରୁ କୁଇଣ୍ଟାଲ, କୁଇଣ୍ଟାଲ ବଡ ଚିଙ୍ଗୁଡି, ଇଲିଶ୍‌, ପୋଟେଇ, ଭେକ୍ଟି ମାଛ ଧରି ବିକ୍ରି କରିବା ସହ କେନ୍ଦ୍ରାପଡା, କଟକ, କୋଲକାତା ଆଦି ସ୍ଥାନକୁ ଚାଲାଣ କରାଯାଉଥିଲା। ସମୟ କ୍ରମେ ଅଦ୍ୟାବଧି ଏହି ଓରତ ଗୋବରୀ କୂଳରେ ଆନ୍ଧ୍ର, ବାଲୁଗାଁ ମାଛ ବିକ୍ରି ହେଉଛି। ପ୍ରଶାସନ ପକ୍ଷରୁ ଏହି ଗୋବରୀ ନଦୀ ସେତୁ ସମ୍ମୁଖରେ ଥିବା ପଠାକୁ ଖନନ କରାଯିବା ପାଇଁ ଦେଉଳିପଡ଼ା ପଞ୍ଚାୟତ ସରପଞ୍ଚ ଦେବଦତ୍ତ ପରିଡ଼ାଙ୍କୁ ପଚାରିବାରେ ନଦୀ ଖନନ କରାଗଲେ ସ୍ଥାନୀୟ ଚାଷୀ ଓ ମତ୍ସ୍ୟଜୀବୀ ଉପକୃତ ହେବା ସହ ଆର୍ଥିକ ବିକାଶ ହେବ। ସେହିପରି ସ୍ଥାନୀୟ ଅଳାଇଲୋ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ପଚାରିବାରେ ଗୋବରୀ ନଦୀ ଖନନ ପାଇଁ ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଅନୁରୋଧ କରାଯାଇଛି ବୋଲି ସେ କହିଛନ୍ତି।