ଜାତୀୟ ପତାକାକୁ ଅସମ୍ମାନ ଘଟଣା: ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନର ପ୍ରୟାସ

ଝାରସୁଗୁଡ଼ା ଅଫିସ,୨୬ା୮: ଝାରସୁଗୁଡ଼ା ଜିଲା ବନ୍ଧବାହାଲ ଶିଳ୍ପାଞ୍ଚଳରେ ଗୁରୁବାର ଏକ ମାଂସ ଦୋକାନୀ କଟାଛେଳିମୁଣ୍ଡକୁ ଜାତୀୟ ପତାକାରେ ଢାଙ୍କି ରଖି ଅସମ୍ମାନ କରିଥିଲେ। ଏହାକୁ ନେଇ ବନ୍ଧବାହାଲ ଶିଳ୍ପାଞ୍ଚଳରେ ୨ଦିନ ହେଲାଣି ଉତ୍ତେଜନା ଲାଗିରହିଛି। ଏନେଇ ଉତ୍ତ୍ୟେକ୍ତ ଲୋକେ ଭଙ୍ଗାରୁଜା କରିବା ସାଙ୍ଗକୁ ରାସ୍ତାରୋକୋ କରିଥିଲେ। ଜାତୀୟ ପତାକାକୁ ଅସମ୍ମାନ କରିଥିବା ଗିରଫ ଅଭିଯୁକ୍ତ ମହମ୍ମଦ ଶାହାଜାଦ ସରକାରୀ ଜମି ଜବର ଦଖଲକରି ମାଂସ ଦୋକାନ ରହିଥିବାବେଳେ ଏହାକୁ ସେଠାରୁ ଉଚ୍ଛେଦ କରିବା ପାଇଁ ଲୋକମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ଦିଗରେ ଜିଲା ପ୍ରଶାସନ ଓ ରାଜସ୍ବ ବିଭାଗ ପଦକ୍ଷେପ ନେଇ ଏହାକୁ ଉଚ୍ଛେଦ କରିବା ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛି। ଏନେଇ ଲଖନପୁର ତହସିଲ ପକ୍ଷରୁ ନୋଟିସ ଜାରି ହୋଇଥିବା ଜଣାପଡ଼ିଛି। ଆସନ୍ତା ସେପ୍ଟେମ୍ବର ୨୦ରେ ଉପଜିଲାପାଳ ଦିନ ଧାର୍ଯ୍ୟ କରିଥିବା ଜଣାପଡିଛି।

ଏନେଇ ବନ୍ଧବାହାଲ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ରହିଥିବାବେଳେ ସାମ୍ପ୍ରଦାୟିକ ଦୃଷ୍ଟି କୋଣରୁ ପୋଲିସ ତୀକ୍ଷ୍ଣ ନଜର ରଖିଛି। ଏବେ ମଧ୍ୟ ବନ୍ଧବାହାଲ ଶିଳ୍ପାଞ୍ଚଳର ବିଭିନ୍ନ ଅଞ୍ଚଳରେ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏସ୍‌ପି ରାହୁଲ ଜୈନ ବନ୍ଧବାହାଲରେ ପହଞ୍ଚି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରି ଘଟଣାର ଅନୁଧ୍ୟାନ କରି ଫେରିଛନ୍ତି। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ବନ୍ଧବାହାଲ ଶିଳ୍ପାଞ୍ଚଳରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏନେଇ ଡିଏସ୍‌ପି ବୈକୁଣ୍ଠ ବିହାରୀ ସେଠ୍‌ଙ୍କ ନେତୃତ୍ୱରେ ପୋଲିସ ଅଧିକାରୀ ଓ ୫ ପ୍ଲାଟୁନ ସଶସ୍ତ୍ର ପୋଲିସ ବାହିନୀକୁ ନେଇ ଫ୍ଲାଗ୍‌ମାର୍ଚ୍ଚ କରିଥିବା ଜଣାପଡ଼ିଛି।