କ୍ଷୁଦ୍ର ଚଳଚ୍ଚିତ୍ରରେ ଜଗନ୍ନାଥଙ୍କୁ ଅସମ୍ମାନ

ଯାଜପୁର ଅଫିସ,୧୧ା୯: ଓଟିଟି ପ୍ଲାଟ୍‌ଫର୍ମ ଡିଜ୍‌ନି ପ୍ଲସ୍‌ ହଟ୍‌ ଷ୍ଟାରରେ ପ୍ରସାରିତ ହିନ୍ଦୀ ଶଟ ଫିଲ୍ମ ‘ମିଆଁ ବିବି ଔର ବାନାନାରେ ଜଗତର ନାଥ ଜଗନ୍ନାଥଙ୍କୁ ଅସମ୍ମାନିତ କରାଯାଇଛି। ଏହି ମର୍ମରେ ବ୍ୟାସନଗର ଭୋକେଶନାଲ କଲେଜର ଅଧ୍ୟାପକ ଦେବୀ ପ୍ରସାଦ ଦାସ ଯାଜପୁର ରୋଡ୍‌ ଥାନାର ସିଟିଜେନ ପୋର୍ଟାଲରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ୨୦ ମିନିଟ ଅବଧି ବିଶିଷ୍ଟ ‘ମିଆଁ ବିବି ଔର ବାନାନା’ କମେଡି ଫିଲ୍ମ ୨୦୧୯ରେ ରିଲିଜ୍‌ ହୋଇଥିଲା। ନୀନା ଶ୍ରୀବାସ୍ତବ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ଫିଲ୍ମଟି ସାନିଟାରୀ ନାପ୍‌କିନ ଉପରେ ଆଧାରିତ ହୋଇଛି। ଏହି ଫିଲ୍ମରେ ଏକ ମଶାର ନାମ ଜଗନ୍ନାଥ ରହିଛି। ଏପରି କି ଷ୍ଟୋରୀକୁ ବର୍ଣ୍ଣନା କରୁଥିବା ଜଣେ ମହିଳା ନିଜକୁ ଜଗନ୍ନାଥଙ୍କ ବିଧବା ନାରାୟଣୀ ଭାବେ ପରିଚୟ ଦେଉଛନ୍ତି। ଏହି ଷ୍ଟୋରୀରେ ଯେଉଁସବୁ ସଂଳାପ ରହିଛି ସେଗୁଡ଼ିକ ଅତ୍ୟନ୍ତ ଅସହ୍ୟନିୟ। ଜଗନ୍ନାଥ ହେଉଛନ୍ତି ଆମର ଆରାଧ୍ୟ ଦେବତା। ଏଭଳି ଉଚ୍ଚାରଣ ସାରା ଓଡ଼ିଶା ଏବଂ ବିଶ୍ୱବାସୀଙ୍କୁ ଆଘାତ ଦେଇଛି। ଆମ୍ଭର ଭଗବାନଙ୍କୁ ଏପରି ଭାବେ ଅସମ୍ମାନ ଦେବା କାହାରି ଅଧିକାର ନାହିଁ ବୋଲି ଦାସ ନିଜର ଅଭିଯୋଗରେ ଦର୍ଶାଇବା ସହ ସମ୍ପୃକ୍ତ ଫିଲ୍ମର ନିର୍ଦ୍ଦେଶିକା ଶ୍ରୀବାସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଯଦି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ଫିଲ୍ମ ନିର୍ମାତାଙ୍କ ବିରୋଧରେ ସେ ଅଦାଲତଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ଏ ସମ୍ପର୍କରେ ଯାଜପୁର ରୋଡ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ସେଭଳି ଅଭିଯୋଗ ଉପରେ କୌଣସି ମାମଲା କିମ୍ବା ଡାଏରୀ ହୋଇପାରେ ନାହିଁ ବୋଲି କହିଛନ୍ତି।