ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସଭାର ଆୟୋଜନ କରାଯାଇଥିଲା।
ଏହି ସଭାରେ ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠୀ, ଜିଲାପରିଷଦ ସଭ୍ୟ ସୋମନାଥ ଦାସ, ବିମ୍ବାଧର ବିଶ୍ୱାଳ, ବିଜେଡି କର୍ମୀ ବିକ୍ରମ ବିଶ୍ୱାଳ, ସୁରେଶ ଜେନା, ରତିକାନ୍ତ ରାଉତ, ବିଜେଡି ଯୁବ ସଭାପତି ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି କର୍ମୀ ଏକଜୁଟ୍ ହୋଇ ବିଜୁବାବୁଙ୍କ ନୀତି, ଆଦର୍ଶର ଗୁଣଗାନ କରିଥିଲେ। କିନ୍ତ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି। ବିଜୁ ବାବୁଙ୍କ ଫଟୋ ରଖିବା ପାଇଁ କୌଣସି ସୁସଜ୍ଜିତ ଆସ୍ଥାନ କରାଯାଇ ନ ଥିଲା। ଏକ ପ୍ଲାଷ୍ଟିକ ଚେୟାର ଉପରେ ବିଜୁବାବୁ ଫଟୋ ରଖାଯାଇଥିଲା l ଏହି ଫଟୋରେ କୃଷ୍ଣଚୂଡ଼ା ଫୁଲର ପାଖୁଡ଼ା ଏବଂ ପତ୍ରର ଏକ ମାଳ ପିନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟକୁ ଦେଖିଲା ପରେ ବିଜେଡି କର୍ମୀ ଏବଂ ନେତାଙ୍କର ବିଜୁଙ୍କ ପ୍ରତି ଥିବା ଅସଲ ପ୍ରେମକୁ ଏବେ ପଦାରେ ପକାଇଛି l ଯାହାକି ବିଜୁବାବୁଙ୍କ ପ୍ରତି ଅନାଦର ଭାବନା ବୋଲି କୁହାଯାଇପାରେ l ଯାହାକି ବିଜୁପ୍ରେମୀଙ୍କ ମନକୁ ଆଘାତ ଦେବା ସ୍ବାଭାବିକ। ବିଜୁଙ୍କ ଫଟୋ ପାଖକୁ ଅନ୍ୟ ଏକ ପ୍ଲାଷ୍ଟିକ୍ ଚେୟାର ଉପରେ ଜିଲା ଅଧିଷ୍ଠାତ୍ରୀ ଦେବୀ ମା’ତାରିଣୀଙ୍କ ଫଟୋରେ କୃଷ୍ଣଚୂଡ଼ା ଫୁଲ ପାଖୁଡା ଏବଂ ପତ୍ରର ମାଳ ପିନ୍ଧା ଯାଇଥିଲା l ଫଟୋ ନିକଟରେ ଏକ ଦୀପ ଜଳୁଥିଲା। ବିଜୁ ବାବୁଙ୍କ ପାଇଁ କ’ଣ ଫୁଲ ମାଳ ଏବଂ ଧୂପ, ଦୀପ ଅଭାବ ହୋଇଗଲା କି ବୋଲି ଅନେକ ବରିଷ୍ଠ ନାଗରିକ ଏବଂ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ଆଉ କେହି ବିଜୁବାବୁଙ୍କ ପ୍ରତି ଏହା ଏକ ଅବମାନନା ବୋଲି କହୁଛନ୍ତି।