ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଗାଁ କପିଳେଶ୍ୱର ହାଇସ୍କୁଲରେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଚୟନକୁ ନେଇ ତୀବ୍ର ବିବାଦ ଦେଖାଦେଇଛି। ବିଦ୍ୟାଳୟ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ପ୍ରଧାନ ଶିକ୍ଷକଙ୍କ ସୂଚନା କ୍ରମେ ନନ୍ଦିପଦା ପୋଲିସ ତୁରନ୍ତ ସ୍କୁଲରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିଛି।
ସୂଚନା ଅନୁଯାୟୀ, ଗତ ଗୁରୁବାର ଦିନ ଅଭିଭାବକମାନଙ୍କୁ ନେଇ ବସିଥିବା ଏକ ବୈଠକରେ ପରିଚାଳନା କମିଟିର ୧୫ ଜଣ ସଦସ୍ୟା ଓ ସଦସ୍ୟଙ୍କୁ ଚୟନ କରାଯାଇଥିଲା। ଏହାପରେ କମିଟିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମନୋନୟନ ପାଇଁ ଶନିବାର ଦିନ ଧାର୍ଯ୍ୟ ହୋଇଥିଲା। ତେବେ ଶନିବାର ସକାଳେ ଜଣେ ସଦସ୍ୟଙ୍କର ମେଡିକାଲ ଯିବାର ଥିବାରୁ ସେ ଚୟନ ପ୍ରକ୍ରିୟା ସ୍ଥଗିତ ରଖିବାକୁ ପ୍ରଧାନ ଶିକ୍ଷକଙ୍କୁ ନିବେଦନ କରିଥିଲେ। କିନ୍ତୁ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅପରାହ୍ନରେ ବୈଠକ ବସିଥିଲା ଏବଂ କୋରମ ଅନୁଯାୟୀ ଆବଶ୍ୟକ ସଦସ୍ୟ ଉପସ୍ଥିତ ରହିବାରୁ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଥିଲା। ଏଥିରେ ତ୍ରିଲୋଚନ ସାଙ୍କୁ ଅଧ୍ୟକ୍ଷ ଓ ସସ୍ମିତା ପାତ୍ରଙ୍କୁ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା।
ହେଲେ ଏହି ଚୟନ ସମୟରେ କହ୍ନେଇ ଦାସ ନାମକ ଜଣେ ସଦସ୍ୟ ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ଲିଖିତ ଭାବେ ଜଣାଇବାରୁ ବିବାଦ ଆରମ୍ଭ ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ମାରାଣ୍ଡି ପ୍ରକାଶ କରିଛନ୍ତି ଯେ, ଏହି ଘଟଣା ବାବଦରେ ଜିଲା ଅତିରିକ୍ତ ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛି। ସେ ସମଗ୍ର ଘଟଣାର ତଦନ୍ତ କରି ନିୟମ ଅନୁସାରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି।